ଅଯୋଧ୍ୟା ଦୃଶ୍ୟ

 

 

 

 

 

 

 

 

 

ଅଯୋଧ୍ୟା ଦୃଶ୍ୟ

ସ୍ୱଭାବକବି ଗଙ୍ଗାଧର ମେହେର

 

 

 

 

 

 

 

 

 

ଉତ୍ସର୍ଗ

 

ଯେ ମୋତେ ପ୍ରିୟବନ୍ଧୁରୂପେ ଗ୍ରହଣ କରି ମୋର ସାହିତ୍ୟଚର୍ଚ୍ଚାର ପଥ ପ୍ରଶସ୍ତ ଓ ସୁଗମ କରିବାରେ ସତତ ଯତ୍ନଶୀଳ, ସେହି କବିତ୍ୱ-ରସିକ ସୁହୃତ୍‌ସତ୍ତମ ଶ୍ରୀମାନ୍‌ ବ୍ରଜମୋହନ ପଣ୍ଡାଙ୍କର ଲେଖନୀଶୋଭିତ କରକମଳରେ ଏହି ପୁସ୍ତକ ପ୍ରୀତିର ନିଦର୍ଶନ ସ୍ୱରୂପ ଅର୍ପଣ କଲି ।

ଗ୍ରନ୍ଥାକାର

Image

 

ଭୂମିକା

 

ମୋର ରଚିତ ପଦ୍ୟ ଅପକୃଷ୍ଟ ହେଲେ ମଧ୍ୟ ବିଦ୍ୟା ଓ ବୁଦ୍ଧିର ତୁଳନାରେ ମୁଁ ନିନ୍ଦନୀୟ ହୋଇପାରିବି ନାହିଁ– ଏହା ମୋର ଗୋଟିଏ ପ୍ରଧାନ ଭରସା । ବୋଧକରେଁ, ସେହି ଭରସା ସୁଫଳ-ପ୍ରସବିନୀ ହୋଇଅଛି । ଉତ୍କଳର ଅନେକ ସମ୍ଭ୍ରାନ୍ତ ଓ ସୁଶିକ୍ଷିତ ମହାତ୍ମାଙ୍କ ନିକଟରୁ ପଦ୍ୟରଚନା ନିମନ୍ତେ ଉତ୍ସାହ ଲାଭକରି ଉତ୍ସାହ-ରୂପ ଦୀପଶିଖାର ଆଲୋକରେ କବିତାରାଜ୍ୟକୁ ଅଗ୍ରସର ହୋଇଅଛି । ଏମନ୍ତ ଅବସ୍ଥାରେ ମୋ ପରି ଅନଗ୍ରଦର୍ଶୀର ଦିଗ୍‌ଭ୍ରମ ହେବାର ସ୍ୱାଭାବିକ । ଏହି ପୁସ୍ତକ ରଚନାଦ୍ୱାରା ମୁଁ କେଉଁ ଦିଗକୁ ଚାଲିଅଛି, ତାହା ସୁବିଜ୍ଞ ପାଠକବୃନ୍ଦ ଅବଧାରଣ କରିବେ ଏବଂ ସୁପଥ ପ୍ରଦର୍ଶନ କରିବା ପ୍ରତି ଅନୁଗ୍ରହ ପ୍ରକାଶ କଲେ ମୁଁ ଚିରୋପକୃତ ହେବି ।

 

ପାଟଣା ରାଜ୍ୟର ସୁପ୍ରବୀଣ ଦେବାନ୍‌ ସାହିତ୍ୟ ପ୍ରେମିକ ଶ୍ରୀମାନ୍‌ ବାଳମୁକୁନ୍ଦ ବହିଦାର ମହୋଦୟ ମୋର ଜଣେ ପ୍ରଧାନ ଉତ୍ସାହଦାତା ଅଟନ୍ତି । ସେ ଏହି ପୁସ୍ତକର ତତ୍ତ୍ୱ ନେଇ ମୁଦ୍ରାଣଭାର ଗ୍ରହଣ କରିବାଦ୍ୱାରା ନିଜ ଦତ୍ତ ଉତ୍ସାହକୁ ଫଳବାନ୍‍ କରିଅଛନ୍ତି ।

 

ଏହି ସତ୍କାର୍ଯ୍ୟ ନିମନ୍ତେ ମୁଁ ତାହାଙ୍କ ନିକଟରେ ଚିରକୃତଜ୍ଞ ରହିଲି । ଏହି ପୁସ୍ତକ ସାଧାରଣଙ୍କର ସାଧାରଣ ଆନନ୍ଦ ଜନ୍ମାଇପାରିଲେ ନିଜକୁ କୃତାର୍ଥ ଜ୍ଞାନ କରିବି । ଇତି ।

 

ବିଜେପୁର

ବିନୀତ

ତା ୨୦।୧।୧୯୯୪

ଶ୍ରୀ ଗଙ୍ଗାଧର ମେହେର

Image

 

ପ୍ରଥମ ସର୍ଗ

 

ରାମ ରାଜା ହେବେ ବୋଲି ଅଯୋଧ୍ୟାନିବାସୀ,

ଆନନ୍ଦ-ସରିତ ସ୍ରୋତେ ଯାଉଛନ୍ତି ଭାସି ।

ଦ୍ୱାରେ ଦ୍ୱାରେ ରମ୍ଭାତରୁ ହୋଇଛି ପ୍ରୋଥିତ

ଲମ୍ବିଛି କୁସୁମମାଳ ହୋଇ ସୁଗ୍ରଥିତ ।

ଚିକୁର ସାଜିଛି ଚୂତପଲ୍ଲବେ ତୋରଣ,

କଳସ ରହିଛି ହୋଇ ସଲିଳ ପୂରଣ ।

ନଗରୀ ହୋଇଛି ଧ୍ୱଜମାଳ ମନୋହର,

ଧ୍ୱଜବିଶୋଭିତ ବାତେ ଉଡ଼ି ଫରହର ।

ରାଜପୁର ଅଭିମୁଖେ ଧାଇଁଛନ୍ତି ଲୋକେ,

ବଦନ ଉଜ୍ଜ୍ୱଳ କରି ହରଷ ଆଲୋକେ ।

ଧରିଛନ୍ତି ନାନା ରଙ୍ଗ ବସନ ଭୂଷଣ,

କରୁଛନ୍ତି ପରସ୍ପର ଚିତ୍ତ ଆକର୍ଷଣ ।

ଦରିଦ୍ରଙ୍କ ଯାହା ଥିଲା ଘେନିଛନ୍ତି ଅଙ୍ଗ,

ଧନିଗଣ ଭାସୁଛନ୍ତି ରତନ-ତରଙ୍ଗେ ।

କେତେ ଶିଶୁ ଯିବାପାଇଁ କରୁଛନ୍ତି ଅଳି,

କା ଘରେ ବସନ ପାଇଁ ଲାଗିଅଛି କଳି ।

ଜନତାରେ ପୂର୍ଣ୍ଣ ହୋଇଅଛି ରାଜପଥ,

ଚାଲିଛି କେ ଅଶ୍ୱେ ଗଜେ କେବା ଚଢ଼ି ରଥ ।

ହ୍ରେଷାରବ ଘଣ୍ଟିନାଦ ଘର୍ଘର ଶବଦ,

ଆନନ୍ଦେ କରୁଛି ପୁର-ହୃଦୟ ଗଦ୍‌ଗଦ ।

ଲାଭ ଆଶେ ଫୁଲ୍ଲକରି ବଦନମଣ୍ଡଳ,

ଦ୍ୱିଜଗଣ ଧାଇଁଛନ୍ତି ହଲାଇ କୁଣ୍ଡଳ ।

କେତେ ନଟୀ ଲାଗିଛନ୍ତି ଯାଇ ନୃତ୍ୟରଙ୍ଗେ,

କେତେ ଅବା ଧାଇଁଛନ୍ତି ଉଦ୍‌ବେଗର ସଙ୍ଗେ ।

ରସନା(୧) ଶବଦ ପୁଣି ନୂପୁର ନିସ୍ୱନ,

ଶୁଣି ତାଙ୍କ ପଛେ ଧାଇଁଛନ୍ତି କେତେ ଜନ ।

ଦେଖିଯିବା ପାଇଁ ଏଣେ ସରଯୂ ଆକୁଳ,

ମନ ବଳାଉଛି ଯେହ୍ନେ ଲଙ୍ଘିବାକୁ କୂଳ ।

କୁମ୍ଭ ଧରି ଆସିଗଲେ ପୁରବାମାକୁଳ,

ଅମୃତ(୨) ଯୋଗରେ ତହିଁ କଲା ଅନୁକୂଳ ।

କୁସୁମ ସୁରଭି କରି ଅଙ୍ଗ ଆଭରଣ

ବନ ଉପବନ ଲଙ୍ଘି ଆସେ ସମୀରଣ ।

ରଙ୍ଗାଧରେ ହସି ହସି ଆସନ୍ତି ଭାସ୍କର,

ରାଜାସନେ ଦେଖିବାକୁ ନିଜ ବଂଶଧର ।

ଖଣ୍ଡ ଖଣ୍ଡ ମେଘ ଚାରୁବର୍ଣ୍ଣ ବିଭୂଷିତ,

ଆସୁଛନ୍ତି ସୁରପଥେ(୩) ହୋଇ ବିଭାସିତ ।

ରାମଶିରେ ଅଭିଷେକକରଣେ ଲାଳସୀ,

ଦେବକନ୍ୟାଗଣ ଧରି ରତନ କଳସୀ ।

ମାର୍ଗରେ ପୂରଣ କରି ମନ୍ଦାକିନୀ-ଜଳ,

ଆସୁଛନ୍ତି କି ରଥେ ବସି ଦଳ ଦଳ ?

ହରଷ ପ୍ରଫୁଲ୍ଲ ହୃଦେ ବିହଙ୍ଗମମାନେ,

ବୃକ୍ଷେ ବୃକ୍ଷେ ମାତିଛନ୍ତି ସୁମଧୁର ଗାନେ ।

ପକ୍ଷୀବେଶ ଧରି କିବା ଅପସରାଗଣ,

ତୋଷୁଛନ୍ତି ଆସି ପୁରବାସୀଙ୍କ ଶ୍ରବଣ ।

ସର ଉନ୍ମୀଳନ କରି କମଳ-ଲୋଚନ,

ଚାହିଁବାକୁ ରାଜା ରାମ କମଳ-ଲୋଚନ ।

ରବିକର ଶାଣେ ଶୋଧି କରେ ସମୁଜ୍ଜ୍ୱଳ,

ହୃଦହାର ହିମ ବିନ୍ଦୁ ରତନ ପଟଳ ।

କୁମୁଦିନୀ କରୁ ନାହିଁ ନୟନ ମୁଦ୍ରିତ,

ତହିଁପାଇଁ ରାତିଯାକ ରହି ଅନିଦ୍ରିତ ।

ପଲାଶ ଶାଳ୍ମଳୀ ଚିତ୍ର ପରିଚ୍ଛଦ ଧରି,

ରବିରଶ୍ମି ହେମମୟ ପାଗ ଶିରେ ଭରି ।

ଗିରିଶ୍ରେଣୀ ଉପରକୁ ଟେକିଛନ୍ତି ମୁଖ,

ରାମ ରାଜବେଶ ଚାହିଁ ଲଭିବାକୁ ସୁଖ ।

ଅଚଳ ହେତୁରୁ ନିଜେ ନ ପାରିଲେ ଯାଇ,

ପ୍ରତିନିଧିରୂପେ ଦେଲେ ମୁନିଙ୍କୁ ପଠାଇ ।

 

୧. ରସନା-ସ୍ତ୍ରୀକଟି ଆଭରଣ ବିଶେଷ । ୨. ଅମୃତ-ଜଳ । ୩ ସୁରପଥ-ଆକାଶ ।

 

ରାଜପୁରେ ଫିଟିଅଛି ଆନନ୍ଦନିର୍ଝର,

ନୂପୁର ନିକ୍ୱଣେ ପୁର ହେଉଛି ମୁଖର ।

ରତ୍ନ ବିଭୂଷଣେ ରମ୍ୟ ରାଣୀଙ୍କ ବଦନ,

ପ୍ରସନ୍ନତା କରିଅଛି ତହିଁରେ ସଦନ ।

ସମସ୍ତଙ୍କ ଅଙ୍ଗେ ଶୋଭେ ମହାମୂଲ୍ୟ ବାସ,

ତରଙ୍ଗିତ ହେଉଅଛି କୁସୁମର ବାସ ।

ଦିଆନିଆ ଲାଗିଅଛି ରମ୍ୟ ଅଙ୍ଗରାଗ,

ବାଛି ବାଛି ନେଉଛନ୍ତି ଯହିଁ ଯା ସରାଗ ।

ରତ୍ନ-ଲତା ପରି ଶତ ଶତ ଯୋଷାବର,

ଘେନି, ତାରାପୂର୍ଣ୍ଣ ନଭ ସଦୃଶ ନବର ।

କୈକେୟୀର ପୁରେ କିନ୍ତୁ ରହିଛି ଯନ୍ତ୍ରଣା,

କି ଜାଣି ତହିଁରେ କିସ ଲାଗିଛି ମନ୍ତ୍ରଣା ।

ଚନ୍ଦ୍ର ରଜନୀରେ କି ତା ତମଗର୍ଭ ଦରୀ,

ରାମ-ପିତା ସାଜିଛନ୍ତି ତହିଁରେ ଶର୍ବରୀ ।

ଆନନ୍ଦ ରାଜତ୍ୱ କଲା ନବରେ ନବରେ,

ପଳାଇ ବିଷାଦ ଥିଲା ପଟହ ମୁଖରେ ।

ତହିଁ ପୁଣି ପଡ଼ିବାରୁ କଠୋର ତାଡ଼ନା,

ବିଷାଦ ଶରୀରେ ହେଲା ବିଷମ ବେଦନା ।

ଜଣ ଜଣ ଘର ଘର ପ୍ରାସାଦ ପ୍ରାସାଦ,

ଲୋଡ଼ି ସ୍ଥାନ ନ ପାଇଲା ବିପନ୍ନ ବିଷାଦ ।

ବ୍ୟବହାର-ଜୀବୀ(୧) ରୂପେ ମନ୍ଥରାକୁ ଧରି,

ଅଛି ଏହି ରାଜପୁରେ ପରବେଶ କରି ।

ଓହୋ ଅବିଳମ୍ବେ ହେବ ବିଷାଦାର ଜୟ,

ଆନନ୍ଦ ଚଉଦ ବର୍ଷ ଯିବ କାରାଳୟ ।

ପ୍ରକୃତ ଆନନ୍ଦସୀମା ଯାଉଅଛି ମାଡ଼ି,

ସୂଚୀ ଅଗ୍ର ସମ ଭୂମି ଦେଉନାହିଁ ଛାଡ଼ି ।

ନ ବାରି ଦରିଦ୍ର ଧନୀ କରୁଅଛି କୋଳ,

ଅପାମରେ କରୁଅଛି ମଦ ଦେଇ ଭୋଳ ।

ସୁସଜ୍ଜିତ ହୋଇଅଛି ଅଭିଷେକ ଘର,

ରତ୍ନସିଂହାସନ ତହିଁ ମଧ୍ୟ ମନୋହର ।

ଧବଳ ଚାମର ହେମଦଣ୍ଡ ରାଜଛତ୍ର,

ଅକ୍ଷତ ତଣ୍ଡୁଳ ଦୂର୍ବା କୁବଳୟ(୨) ପତ୍ର ।

ସ୍ୱର୍ଣ୍ଣପାତ୍ରେ ଶ୍ୱେତ ପୁଷ୍ପ କର୍ପୂର ଚନ୍ଦନ,

ସ୍ୱର୍ଣ୍ଣ ଆଦି ଧାତୁ ସହ ବିବିଧ ରତନ ।

ଶତ ଶାତକୁମ୍ଭ(୩) କୁମ୍ଭେ ପୂର୍ଣ୍ଣ ତୀର୍ଥଜଳ,

ମୁଖେ ଧରିଛନ୍ତି ରକ୍ତ ଅସିତ କମଳ ।

ଶ୍ୱେତ ସୁରଞ୍ଜିତ ପଟ୍ଟ ଯୁଗଳ ଯୁଗଳ,

ଶ୍ୱେତ ହୟବର ପୁଷ୍ପମଣ୍ଡିତ ଧବଳ ।

ଅଳଙ୍କୃତା ସୁବସନା ପୁଷ୍ପ ସୁକୁମାରୀ,

କୁସୁମେ ଶୋଭିତ ବେଶ ଆଠଟି କୁମାରୀ ।

ଅଖଣ୍ଡିତ ବ୍ୟାଘ୍ରଚର୍ମ ସ୍ୱର୍ଣ୍ଣଶୃଙ୍ଗ ବୃକ୍ଷ,

ଶ୍ୱେତ ଗଜରାଜ ଇନ୍ଦ୍ର-ବାରଣ ସଦୃଶ ।

ମଧୁ ସର୍ପୀ(୪) ଲାଜ ଆଦି ହୋଇ ସୁସଞ୍ଚିତ,

ଯଥାସ୍ଥାନେ ହୋଇଅଛନ୍ତି ଯତନେ ରକ୍ଷିତ ।

ବସିଛନ୍ତି ବଶିଷ୍ଠାଦି ମହର୍ଷି ସକଳ,

ଋତୁଯାଜୀ ପୁରୋହିତ ସଚିବ ମଣ୍ଡଳ ।

ଅଳିନ୍ଦରେ ବସିଛନ୍ତି ସାମନ୍ତସମାଜ,

ପ୍ରତି ଅଙ୍ଗେ ରାଜୁଅଛି ରତ୍ନମୟ ସାଜ ।

ତଦୁତ୍ତାରେ ବସିଛନ୍ତି ଗଣ୍ୟମାନ୍ୟଗଣ,

ପୁରବାସୀସମୂହରେ ପୂରିଛି ପ୍ରାଙ୍ଗଣ ।

ସହସ୍ର ସହସ୍ର ସାଦୀ(୫) ହୋଇ ସୁସଜ୍ଜିତ,

ବେନି ଶ୍ରେଣୀ ହୋଇ ଅଗ୍ରେ ଅଛନ୍ତି ରାଜିତ ।

ସ୍ୱର୍ଣ୍ଣମୟ ପରିସ୍ତୋମେ ମଣ୍ଡି ଗଜପୃଷ୍ଠ,

ହସ୍ତିପକେ(୬) ବସିଛନ୍ତି ଗଜେ ହୋଇ ହୃଷ୍ଟ ।

କଟିତଟେ ଆସି ବାନ୍ଧି ଶୂର ଯୋଦ୍ଧାଗଣ,

କରୁଛନ୍ତି ସମୁନ୍ନତ ବକ୍ଷେ ବିଚରଣ ।

୧. ବ୍ୟବହାରଜୀବୀ-ଓକିଲ । ୨. କୁବଳୟ-ବରକୋଳି । ୩. ଶାତକୁମ୍ଭ-ସ୍ୱର୍ଣ୍ଣ । ୪. ସର୍ପୀ-ଘୃତ ।, ୫. ସାଦୀ-ଅଶ୍ୱାରୋହୀ । ୬. ହସ୍ତପକେ-ଗଜାରୋହୀମାନେ ।

ବାଜୁଛି ଅଦୂରେ ମନ୍ଦ୍ର ଗମ୍ଭୀର ବାଜଣା,

ବାଦ୍ୟକ୍ରମେ ନାଚୁଛନ୍ତି ଦିଗେ ଦିଗଙ୍ଗନା ।

ଅଭିଷେକ ଆୟୋଜନ କିଛି ନାହିଁ ବାକି,

ଅଛନ୍ତି କେବଳ ରାମ ଆଗମନ ଟାକି ।

ବଶିଷ୍ଠ ଦେଖିଲେ ଏବେ ସମୟ ନିକଟ,

ନ କଲେ ନ ଚଳେ ତାହା ନରେଶ ପ୍ରକଟ ।

ସୁମନ୍ତ୍ର ଚଳିଲେ ତହୁଁ ବଶିଷ୍ଠ ଆଦେଶ,

ଉପଗତ ହେଲେ ଯାଇ ରାଜଦ୍ୱାରଦେଶେ ।

ଭିତରକୁ ଯାଇ ପୁଣି ପାଇ କି ଆଦେଶ,

ଶ୍ରୀରାମ ସଦନେ ଯାଇ ହେଲେ ପରବେଶ ।

ବାହାରିଲେ ରାମଚନ୍ଦ୍ର ରମ୍ୟ ରଥେ ବସି,

ପୂର୍ଣ୍ଣିମା ପ୍ରଦୋଷ ଯଥା ପ୍ରାଚୀଶିରେ ଶଶି ।

ଉଚ୍ଚସ୍ୱରେ ସ୍ତବପାଠ କଲେ ବନ୍ଦିଗଣ,

ଚନ୍ଦ୍ର ଦରଶନେ କି ସେ ସାଗରଗର୍ଜନ ।

ଲକ୍ଷ୍ମଣ ଧଇଲେ ଚାରୁ ଧବଳ ଚାମର,

ମହୋଦଧି-ବକ୍ଷେକି ସେ ଫେନ ମନୋହର ।

କୁସୁମ ବର୍ଷଣ କଲେ ପୁରବାଳାଗଣ,

ସାଗର-ବୀଚିରୁ ଯେହ୍ନେ ଉଠେ ଜଳକଣ ।

ଜନତା ଚାହିଁଲେ ରାମେ ଅସଂଖ୍ୟ ନୟନେ,

କୁମୁଦିନୀବନ ଯଥା ଚାହେଁ ପ୍ରାଣଧନେ ।

ଦରହାସ ଚନ୍ଦ୍ରିକା ରେ ସର୍ବଜନ ମନ,

ଆଲୋକିତ କରି କଲେ ଶ୍ରୀରାମ ଗମନ ।

ପିତାଙ୍କ ଭବନ ମଧ୍ୟେ ହେଲେ ଉପଗତ,

ଚାହିଥାନ୍ତି ଲୋକେ ତାଙ୍କ ଆଗମନ ପଥ ।

କିଛିକ୍ଷଣ ପରେ ରାମ କଲେ ଆଗମନ,

ପୂର୍ବପରି ଦରହାସମଣ୍ଡିତ ବଦନ ।

ତହିଁ ଗାଢ଼ ଗମ୍ଭୀରତା ହୋଇ ସୁବ୍ୟଞ୍ଜିତ,

କରୁଅଛି ସାଧାରଣ ମାନସ ରଞ୍ଜିତ ।

ରକ୍ତିମାରେ ମିଶି କିନ୍ତୁ ବିଷାଦାର ଛାଇ,

ଲକ୍ଷ୍ମଣଙ୍କ ବଦନକୁ ଦେଇଅଛି ଛାଇ ।

ନ ଚାଳି ଚାମର କରେ ମାତ୍ର’ଛନ୍ତି ବହି,

ଅନର୍ଗଳ ଅଶ୍ରୁଧାର ଯାଉଅଛି ବହି ।

ଭାବୁଛନ୍ତି ଜନେ ଏବେ ଶ୍ରୀରାମ ଆସିବେ,

ଅଭିଷିକ୍ତ ହୋଇ ରାଜ-ଆସନେ ବସିବେ ।

ବନ୍ଦିବାକୁ ଯାଇଥିଲେ ଜନକ ଚରଣ,

ପିତ୍ରାଦେଶ ଘେନି କରୁଛନ୍ତି ଆଗମନ ।

ବନ୍ଦିଗଣ ସ୍ତବ ଗାନ କଲେ ଉଚ୍ଚସ୍ୱରେ,

ବାଜିଲା ବିବିଧ ବାଦ୍ୟ ବିବିଧ ରଙ୍ଗରେ ।

ତେଣେ ଭେଦି ରାଜାଙ୍କର ମହୋଚ୍ଚ ସଦନ,

ଉଠିଲା ରମଣୀକଣ୍ଠେ ମହୋଚ୍ଚ ରୋଦନ ।

କି ହେଲା କି ହୋଲା ଚକିତ ଲୋଚନେ

କୁହାକୁହି ହେଲେ ଲୋକେ ବିସ୍ମିତ ବଚନେ ।

ଶ୍ରୀରାମ ଆସନ୍ତେ କରି ଚରଣଚାରଣ,

ବନ୍ଦିଗଣ ବନ୍ଦ କଲେ ଉଚ୍ଚ ଉଚ୍ଚାରଣ ।

କ୍ରମେ ସ୍ତମୀଭୂତ ହେଲେ ବାଦ୍ୟକରଗଣ,

ଜନ କୋଳାହଳ କିନ୍ତୁ ଭେଦିଲା ଗଗନ ।

ଚାଲି ଚାଲି ଗଲେ ରାମ ସଜନୀ ସଦନ,

ତହୁଁ ପୁଣି ଚତୁର୍ଗୁଣେ ଉଠିଲା ରୋଦନ ।

ପୁଣି ଯାଇ ପ୍ରିୟତମା ବୈଦେହୀ ସମ୍ମୁଖେ,

ତାଙ୍କୁ ଘେନି ବାହାରିଲେ ଅମଳିନ ମୁଖେ ।

ସଙ୍ଗେ ସଙ୍ଗେ ଚାଲିଥାନ୍ତି ସୁଶୀଳ ଲକ୍ଷ୍ମଣ,

ଦଶରଥ ଭବନକୁ ଗଲେ ତିନି ଜଣ ।

ବାହୁଡ଼ିଲେ ଜନକଙ୍କୁ ନବରୁ ଅଚିରେ,

ଦୁକୂଳ ବଦଳେ ଶୋଭି ମୁନିଯୋଗ୍ୟ ଚୀରେ

ଚାହିଁ ଲୋକେ ଶ୍ରୀରାମଙ୍କ ଅବିକୃତ ଭାବ,

ମୁଖେ ମୁଖେ ବ୍ୟକ୍ତ କଲେ ‘‘ଏ କି ଏ କି’’ ରାବ ।

ଯେ ଦେଖିଲା ସେ ବୁଡ଼ିଲା ଗାଢ଼ ଖେଦରସେ,

ଜ୍ଞାନ ନ ପାରିଲା ପଶି ସେ ଘୋର ରହସ୍ୟେ ।

କାନ୍ଦି କାନ୍ଦି ରାଣୀବୃନ୍ଦ ଅଟ୍ଟାଳୀ ଉପରେ,

ଉଠି ଦୃଷ୍ଟିଦେଲେ ରାମ ଯୋଗୀନ୍ଦ୍ର ରୂପରେ ।

ନୟନୁ ନୟନୁ ତାଙ୍କ ହୋଇ ଅଶ୍ରୁବୃଷ୍ଟି,

ବାରମ୍ବାର ରୋଧ କରି ଦେଉଥାଏ ଦୃଷ୍ଟି ।

ରାଜପୁରୁଁ ବାହାରିଲା ଦାରୁଣ ନିଃସ୍ୱନ,

ରାଜ୍ୟ ତେଜି ରାମଚନ୍ଦ୍ର ଯାଉଛନ୍ତି ବନ ।

କୈକେୟୀକି ମହାରାଜ ଦେଇଛନ୍ତି ବର,

ରାଜ୍ୟେ ଅଧିକାରୀ ହେବ କୈକେୟୀକୁମର ।

ସଞ୍ଚରିଲା ସେ ଶବଦ ବଦନେ ବଦନେ,

ସ୍ଥାନେ ସ୍ଥାନେ ପତେ ପଥେ ସଦନେ ସଦନେ ।

ସଙ୍ଗେ ସଙ୍ଗେ ଉଠିଗଲା ମହା ହାହାକାର,

ଗଣ୍ଡେ ଗଣ୍ଡେ ପ୍ଳାବିଗଲା ନେତ୍ରନୀରଧାର ।

ଉଠିଲା କ୍ରନ୍ଦନ-ଧ୍ୱନି-ଲହରୀ-ପଟଳ,

ଶୋକ-ସିନ୍ଧୁ-ବକ୍ଷେ ପୁର ହେଲା ଟଳଟଳ ।

ଭାସିଲା ସୁବର୍ଣ୍ଣମୟ ନରେନ୍ଦ୍ରଭବନ,

ସଙ୍ଗେ ଘେନି ଅଳଂକୃତ ରାଜା-ଜାୟାଗଣ ।

ଭାସିଲା ସୁରମ୍ୟ ରାଜରତ୍ନସିଂହାସନ,

ଭାସିଲା ଧବଳ ଛତ୍ର ଚାମର ବସନ ।

ରତନକିରଟୀ ହାର ହେଲେ ଭାସମାନ,

ତହିଁ ସଙ୍ଗେ ସ୍ୱର୍ଣ୍ଣରଥ ଗଜ ଅଶ୍ୱମାନ ।

ଶସ୍ତ୍ରଧାରୀ-ଶୂରଦଳ ଭାସିଲେ ଆକୁଳେ,

ବଶିଷ୍ଠାଦି ଋଷି ବସି ଦେଖୁଥାନ୍ତି କୂଳେ ।

ବୁଝିଲେ ସଚିବବୃନ୍ଦ ସକଳ ଘଟନା,

ରାମ ଯହିଁ ଅଗ୍ରସର କେ କରିବ ମନା ।

କଲେ ମାତ୍ର କୈକେୟୀକି ସହସ୍ର ଧିଗ୍‌ଦାନ,

ବୋଇଲେ ଅଖଣ୍ଡନୀୟ ବିଧିର ବିଧାନ ।

ଗମନ୍ତେ ଲକ୍ଷ୍ମଣ ସୀତା ସଙ୍ଗେ ରଘୁବର,

ଲୋକାରଣ୍ୟେ ଗତିପଥ ହେଲା କଷ୍ଟକର ।

ଶ୍ରାବଣ-ସରିତ-ସ୍ରୋତରୂପେ ଜନଗଣ,

ଆର୍ତ୍ତନାଦ ଛଳେ କରି ଗଭୀର ଗର୍ଜ୍ଜନ ।

ରାମ ଗତି ପ୍ରତିକୂଳେ ହେଲେ ପ୍ରବାହିତ,

ଚଳିଲେ ଶ୍ରୀରାମ ତହିଁ ଯେସନ ରୋହିତ ।

ଲୋକଦଳ ଭେଦି ଲୋକ ଦଳ ଦଳ ଆସି,

ଚାହାନ୍ତି ଶ୍ରୀରାମ ମୁଖ ବିସ୍ମୟ ପ୍ରକାଶି ।

ଭସାଇ ନୟନ-ଜଳେ ସର୍ବ ଅପଘନ,

କରୁଥାନ୍ତି ରାମ ଗତିରୋଧର ଯତନ ।

ରାମ ତାଙ୍କୁ ବୋଲୁଥାନ୍ତି ତୋଳି ବେନି କର,

ପିତୃସତ୍ୟ-ପଥେ ମୋତେ କଣ୍ଟକ ନ କର ।

ପିତ୍ରାଦେଶ ପାଳିବାର ପୁତ୍ରର ଧରମ,

ସୁପବିତ୍ର ବ୍ରତ ପୁଣି ପ୍ରଧାନ କରମ ।

ସର୍ବ ଦେବତାରୁ ପିତା ଅଟନ୍ତି ପରମ,

ଏକା ପିତୃଭକ୍ତି ସର୍ବ ତପର ଚରମ ।

ସେ ମହାତପର ମୋତେ ମିଳିଛି ସମୟ,

ଶୁଭବାଞ୍ଛା କା ମୋର ବିଘ୍ନ ହେଉ କ୍ଷୟ ।

ପିତୃକାର୍ଯ୍ୟେ ଦେବା ପାଇଁ ପିତୃଦତ୍ତ ପ୍ରାଣ,

କୁଣ୍ଠିତ ଯେ ତାହାଠାରୁ କେ ଅଛି ଅଜ୍ଞାନ ।

ରାଜଭକ୍ତ ପ୍ରଜା ତୁମ୍ଭେ ରାଜାଙ୍କର ଧନ,

ରାଜକାର୍ଯ୍ୟେ ଦେଇପାର ଦୁର୍ଲଭ ଜୀବନ ।

ମଣୁଥାଅ ନୃପତିଙ୍କି ସାକ୍ଷାତ ଈଶ୍ୱର,

ସତ୍ୟଭ୍ରଷ୍ଟ, ସତ୍ୟସନ୍ଧ ନୃପଙ୍କୁ ନ କର ।

ଆଜିଠାରୁ ଏ ରାଜ୍ୟେର ଭରତ ନୃପତି,

ତାଙ୍କ ପ୍ରତି ରଖ ଚିର ଅଟଳ ଭକତି ।

ଶ୍ରୀରାମଙ୍କ ଏ ଅପ୍ରିୟ ମଧୁମୟ-ବାଣୀ,

ପ୍ରଜାବୃନ୍ଦ ଶୋକ-ସ୍ନିଗ୍‍ଧ-ହୃଦ ଦେଲା ହାଣି ।

ବୋଇଲେ, ‘‘ନୃପତ କିମ୍ପା କଲେ ଅବିଚାର,

ନାଗରୀ ବଚନେ ହେଲା ନଗରୀ ସଂହାର ।

ଅବିବେକ ନୃପ ରାଜ୍ୟେ କରିବାର ଘର,

ସସର୍ପ ଗୃହରୁ ବଳି ଅଟେ ଭୟଙ୍କର ।

ତୁମ୍ଭପରି ସୁବିବେକ କଲେ ବନେ ବାସ,

ଦୁଃଖୀ-ହୃଦେ ଦେବ ସ୍ୱର୍ଗସୁଖର ଆଭାସ ।

ନିଶ୍ଚେ ରାମ ଯଦି ତୁମ୍ଭ ଯାଉଅଛି ବନ,

ଚାଲ ଆମ୍ଭ ତୁମ୍ଭ ସଙ୍ଗେ କରୁଛୁଁ ଗମନ ।

କହି ରାମ ସଙ୍ଗେ ସଙ୍ଗେ ପୁରବାସୀ ଜନେ,

ଚଳିଲେ ବିଷାଦ-ପ୍ରେମ-ପୂରିତ-ଜୀବନେ ।

ଅସିତ ଯମୁନା ଜଳେ ଶୁଭ୍ର ଗଙ୍ଗାଜଳ-

ଆଭାନ୍ୱିତ ହେଲା ତାଙ୍କ ବଦନମଣ୍ଡଳ ।

ଚନ୍ଦ୍ର ପରିବେଶ(୧) ଚନ୍ଦ୍ର ସଙ୍ଗରେ ଯେସନ,

ରାମଚନ୍ଦ୍ରେ ବେଢ଼ି କଲେ ପ୍ରଜାଏ ଗମନ ।

ଅଟ୍ଟାଳୀ ଉପରେ ଥାଇ ପୌରନାରୀଗଣ,

ଦୀନନେତ୍ରେ କରୁଥାନ୍ତି ରାମ ନିରୀକ୍ଷଣ ।

କୁଙ୍କୁମାକ୍ତ-ଗଣ୍ଡେ ତାଙ୍କ ସାଞ୍ଜୁନାଶ୍ରୁ ଧାର,

ରକ୍ତବର୍ଣ୍ଣ ସୃଜି ମୁଖ କଲା କଦାକାର ।

ସେହି ଦୃଶ୍ୟେ ବୋଧହେଲା ଅଯୋଧ୍ୟା ନଗରୀ,

ଦୁଃଖ ଭଳି କାନ୍ଦିବାକୁ ବହୁମୁଖ ଧରି ।

ଅନୁରୂପ ଅଶ୍ରୁ କରି ଅସ୍ର(୨) ବିସର୍ଜ୍ଜନ,

ମୁଖେ ମସୀ ଘସି ଦେଲା ଆପଣେ ଆପଣ ।

ବିଟଙ୍କ(୩) ମଧ୍ୟରେ ଥାଇ ଗୃହବଧୂ ପରି,

ପାରାବତେ କାନ୍ଦୁଥିଲେ ଘୁଟୁରୁକୁ କରି ।

ବୃକ୍ଷୁଁ ବୃକ୍ଷେ ଉଡ଼ି ଅନ୍ୟ ବିହଙ୍ଗ ସକଳ,

ରାମ ଯିବା ଦିଗେ ଗଲେ କରି କୋଳାହଳ ।

ମୟୂର ମୟୂରୀ କରି ଗମ୍ଭୀର ଆରବ,

କଲେ ରାମ ସଙ୍ଗେ ବନଗମନ ଆରମ୍ଭ ।

ଗୋପବୃନ୍ଦ ଗୋଡ଼ାଇଲେ ଘେନି ଧେନୁପଲ,

ଅଗ୍ରସର ହୋଇଥାନ୍ତି ବାଛୁରୀସକଳ ।

ହୁଁ ହୁଁ ସୁଁ ସୁଁ ଶବ୍ଦ କରି ଗାଈ ଥା’ନ୍ତି ଧାଇଁ,

ସତୃଷ୍ଣ ନୟନେ ରାମ ଆଡ଼କୁ ଅନାଇ ।

ସେ ଦିଗେ ଲହଁସି(୪) ହେଲେ ତରୁ ତୃଣମାନ,

ସେ ଦିଗେ ସରଯୂସ୍ରୋତ ହେଲା ଧାବମାନ ।

ମାର୍ଜାରୀଏ ଘରେ ଘରେ କଲେ ଘୋର କଳି,

ପୁର ଛାଡ଼ି ରାମ ସଙ୍ଗେ ଯିବା ପାଇଁ ଚଳି ।

ତାଙ୍କ କଳି ଶୁଣି ପୋଷା ବିହଙ୍ଗମଗଣ,

ବନ ଯିବା ପାଇଁ କଲେ ପଥ ଅନ୍ୱେଷଣ

ଏମନ୍ତେ ନଗରେ ହେଲା ମହାକୋଳାହଳ,

ଏକା ରାମଚନ୍ଦ୍ର ପାଇଁ ସମସ୍ତେ ବିକଳ ।

 

୧. ଚନ୍ଦ୍ର ପରିବେଶ-ଚନ୍ଦ୍ର ମଣ୍ଡଳ । ୨. ଅସ୍ର-ରକ୍ତ । ୩. ବିଟଙ୍କ-ପାରାଭାଡ଼ି । ୪. ଲହଁସି-ନଇଁପଡ଼ିବା ।

Image

 

ଦ୍ୱିତୀୟ ସର୍ଗ

 

ରାମ ରାଜସିଂହାସନ କରି ବିସର୍ଜନ,

କରିବାକୁ ବିମାତାର ତୋଷ ବିବର୍ଦ୍ଧନ ।

ବିମାତା ବଦନୁ ଶୁଣି ପିତାଙ୍କ ଆଦେଶ,

ଗହନ-ଗମନ କଲେ ଧରି ଯୋଗୀବେଶ ।

ରାଜପୁର ରାଜସୁଖ ବିଷ ତୁଲ୍ୟ ମଣି,

ପତିଙ୍କ ପୟରସେବା ସ୍ୱର୍ଗସୁଖେ ଗଣି ।

ପତିଭକ୍ତି ପରାୟଣା ଜନକ ନନ୍ଦିନୀ,

ହେଲେ ପ୍ରାଣପତିଙ୍କର କାନନସଙ୍ଗିନୀ ।

ରଖିବାକୁ ଭବେ ଭ୍ରାତୃଭକ୍ତିନିଦର୍ଶନ,

ଅକପଟ ସଉଭ୍ରାତ୍ର କରି ପ୍ରଦର୍ଶନ ।

ବିପଦବାନ୍ଧରୂପେ ସେ ସଙ୍ଗେ ଗମନ,

କଲେ ବିମାତାଙ୍କ ସୁତ ଅନୁଜ ଲକ୍ଷ୍ମଣ ।

ପୁତ୍ରଶୋକେ ପ୍ରାଣ ଦହି ରାଜା ଦଶରଥ,

ସତ୍ୟବୀର ସତ୍ୟବର ଚଢ଼ି ଦିବ୍ୟରଥ ।

ଫଳାଇ ତପସ୍ୱୀ-ଶାପ ପବିତ୍ର ଜୀବନେ,

ଦିବ୍ୟଦେହେ ବିଜେକଲେ ଅମରଭୁବନେ ।

ପୁତ୍ର ଯା’ର ପିତ୍ରାଦେଶ ପାଳନେ ତତ୍ପର

ସ୍ୱର୍ଗ ସିଂହାସନ ତାର କେତକ ମାତର ?

ଶ୍ରୀରାମଙ୍କ ପଣ ଦେଖି ଅଟଳ ଅଚଳ,

କୈକେୟୀନନ୍ଦନ ବୀର ଅଗ୍ରଜବତ୍ସଳ ।

ହୋଇ ରାଜସୁଖ ରାଜଭୋଗରୁ ବିରତ,

ଯୋଗୀବେଶେ ନନ୍ଦୀଗ୍ରାମେ ରହିଲେ ଭରତ ।

ରାମ ହେଲେ ବନବାସୀ ସ୍ୱାମୀ ହେଲେ ନାଶ,

ପୁତ୍ରର ହିଁ ଯୋଗୀବେଶ ନନ୍ଦୀଗ୍ରାମେ ବାସ ।

ରାଜନବରର ଶତ ଶତ ରାଣୀ ମୁଖେ

କ୍ରନ୍ଦନ କୈକେୟୀ ଚାହିଁ ବୁଡ଼ିଗଲା ଦୁଃଖେ ।

ହୃଦୟକନ୍ଦରେ ତାର ଅନୁତାପାନଳ,

ପ୍ରଧୂମିତ ହୋଇ କଲା ଜୀବନ ବିକଳ ।

ଲଗାଇଲେ ହୁତାଶନ ପଡ଼ୋଶୀ ଭବନେ,

ନିଜ ଗୃହ ଦହେ ଏହା ନ ଥିଲା ତା ମନେ ।

ରାଣୀମାନଙ୍କର କରୁ ଯାଇଛି କଙ୍କଣ(୧)

ନୟନରେ ଅବିରତ ହୋଇଛି କଙ୍କଣ ।

ଲଲାଟରେ ନାହିଁ ଆଉ ସିନ୍ଦୂରର ବିନ୍ଦୂ,

ବିଷାଦ-ଝଟିକାକୂଳ ମୁଖ ଶୋଭା ସିନ୍ଧୁ ।

ପୁତ୍ରର ବିରହ ପୁଣି ସ୍ୱାମୀର ବିରହ,

କୌଶଲ୍ୟା-ହୃଦୟ ଦାହ କରେ ଅହରହ ।

ମନ ଦୁଃଖ ମନେ ମାରି ସୁମିତ୍ରା ସଜନୀ,

ନିକଟେ ତାଙ୍କର ଥାନ୍ତି ଦିବସ ରଜନୀ ।

ସର୍ବ ରାଣୀ ଧରିଛନ୍ତି ବିଧବାର ବେଶ,

ରାମ ହେତୁ ସଭିଙ୍କର ହୃଦୟରେ କ୍ଳେଶ ।

ନାହିଁ ଆଉ ଚିତ୍ରବାସ ଚାରୁ ଅଳଙ୍କାର,

ବାହାରୁଛି ସମସ୍ତଙ୍କ ମୁଖୁଁ ହାହାକାର ।

ରାଜପୁର ହୋଇଥିଲା ବସନ୍ତ-କାନନ,

ହସୁଥିଲା ପୁଷ୍ପରୂପେ ରାଣୀଙ୍କ ଆନନ ।

ରାମ ତହିଁ ଚନ୍ଦ୍ର, ସୀତା ଚନ୍ଦ୍ରିକା ସୁନ୍ଦର,

ଖେଳୁଥିଲେ ସଉମିତ୍ରି ହୋଇ ପିକବର ।

ମନ୍ଥରା-ମନ୍ତ୍ରଣା-ମେଘ ଆସି ଅକସ୍ମାତ,

ସବୁ ନଷ୍ଟ କଲା କରି କରକା ବିଘାତ ।

ନାହିଁ ଚନ୍ଦ୍ର ନାହିଁ ଆଉ ଚନ୍ଦ୍ରିକାର ଛଟା,

ଘୋଟିଛି କେବଳ ଗାଢ଼ ବିଷାଦାର ଘଟା ।

ଶୁଭୁ ନାହିଁ କୋକିଳର ମଧୁର କୂଜନ,

ନଷ୍ଟଭ୍ରଷ୍ଟ ହୋଇଅଛି ମନୋହର ବନ ।

ଆଶା ଥିଲା କୈକେୟୀର ରାଜସିଂହାସନେ

ଭରତ ବସିବ ନିଶ୍ଚେ, ପ୍ରସନ୍ନ ବଦନେ ।

ଭରତ-ଭାବିନୀ ହେବ ପାଟମହାଦେଈ,

ଆନନ୍ଦେ ମଜ୍ଜିବ ନିଜେ ମନ୍ଥରାକୁ ନେଇ ।

ଅଇଲା ବିଷାଦ-ସିନ୍ଧୁ-ତରଙ୍ଗ ପ୍ରବଳ,

ଆଶା-ବାଲିବନ୍ଧ ଶିରେ ମାଡ଼ିଗଲା ଜଳ ।

ଯେଉଁ ପୁର ହୋଇଥିଲା ଆନନ୍ଦର ଘର,

ନୃତ୍ୟ କରୁଥିଲା ଯହିଁ ଶୋଭା ନିରନ୍ତର ।

କାମିନୀ-କୋମଳ-କଣ୍ଠ-ମଧୁର-ସଙ୍ଗୀତ,

କଲ୍ଲୋଳିତ ହୋଇ ଯହିଁ ମୋହୁଥିଲା ଚିତ୍ତ ।

ବାଜି ଯହିଁ ମନୋମୁଗ୍‌ଧକର ବାଦ୍ୟମାନ,

ଅମୃତରେ ଅଭିଷିକ୍ତ କରୁଥିଲା ପ୍ରାଣ ।

ଅଗୁରୁ ଧୂପର ଘଟା କୁସୁମର ବାସ,

ଆମୋଦିତ କରୁଥିଲା ଯେ ପୁର ଆକାଶ ।

ସେ ପୁରେ ପୂରିଛି ଆଜି କେବଳ ବିଷାଦ,

ସୁଖ ନାହିଁ ଶାନ୍ତିନାହିଁ ନାହିଁ ହର୍ଷନାଦ ।

ରମଣୀ ନୂପୁରଧ୍ୱନି ଶ୍ରବଣଦୁର୍ଲ୍ଲଭା,

ରାଜଯୋଷା କେଶେ ଆଉ ନାହିଁ ପୁଷ୍ପଗଭା ।

ଯୋଗୀ ଭିଖାରିଏ ରାମମାତା ପାଶେ ଆସି,

ଭିକ୍ଷା ନେଇଯାନ୍ତି ରାମ ମଙ୍ଗଳ ମନାସି ।

ଯୋଗୀ ବନବାସୀ ଦେଖି ଶ୍ରୀରାମଜନନୀ,

ଦିଅନ୍ତି ବାଞ୍ଛିତ ଦ୍ରବ୍ୟ ପୁତ୍ର ପ୍ରାୟେ ମଣି ।

ପଚାରନ୍ତି ବାବା, ତୁମ୍ଭେ ବାସ କର ବନେ,

ଖାଇବାକୁ କି କି ଦ୍ରବ୍ୟ ମିଳଇ କେସନେ ?

ପ୍ରାଣ କି ବଞ୍ଚଇ ବାବା, ଫଳମୂଳ ଖାଇ,

ତାହାହେଲେ ନଗରକୁ ଆସନ୍ତ କିପାଇଁ ?

ବର୍ଷା ଶୀତ ଆତପରେ ରହୁଥିବ କ୍ଳେଶେ,

କି ଉପାୟ କରିବ ବା ଘୋର ବନଦେଶେ ?

କି କାରଣେ ବନେ ରହ ନଗରେ ନ ଆସି,

ବିମାତା କି ହରିନେଲଶ ତୁମ୍ଭ ସୁଖରାଶି ?

ହେଉଥିବ ତୁମ୍ଭ ମାତା ହୃଦୟ ଆକୁଳ,

ଘର ଛାଡ଼ି କିମ୍ପା ଆଶ୍ରା କଲ ତରୁମୂଳ ।

ଏରୂପେ ସସ୍ନେହେ ସ୍ମରି ନାନା କଷ୍ଟମାନ,

ବିବିଧ ପଦାର୍ଥ ତାଙ୍କୁ କରନ୍ତି ପ୍ରଦାନ ।

ଛତ୍ର ଉପାନହ ଚାରୁ ଶୀତହର ବାସ

ଦିଅନ୍ତି, କରାଇ ଆଗେ ଦିବ୍ୟ ଅନ୍ନ ଗ୍ରାସ ।

ବୋଲନ୍ତି ଏ ଦ୍ରବ୍ୟମାନ ଥାଏ ଯଦି ମନା,

ଅନୁରୋଧ ରଖି ଘେନ ନ ହୋଇ ବିମନା ।

ବାତ୍ସଲ୍ୟ-ମମତା-ମିଶା ସେ ମିଷ୍ଟ ବଚନ,

ଆନନ୍ଦେ ବୁଡ଼ାଇ ଦିଏ ନେବା ଲୋକ ମନ ।

ଅଯାଚିତ ଭାବେ ହୁଏ ଏ ସକଳ ଦାନ,

ସବୁ ଦାନଠାରୁ ଏହି ଦାନହିଁ ପ୍ରଧାନ ।

ବନବାସୀ ପଡ଼ିଗଲେ କୌଶଲ୍ୟା-ନୟନେ,

ରାମ ପ୍ରତିବିମ୍ବ ପଡ଼େ ହୃଦୟେ ଦର୍ପଣେ ।

କୌଶଲ୍ୟା-ନୟନେ ରାଜବିଭବ ସକଳ,

ରାମ-କଷ୍ଟ ସ୍ମୃତିପଥ କରନ୍ତି ଉଜ୍ଜ୍ୱଳ ।

ରତନ ପଲ୍ୟଙ୍କ ଦେଖି ପଲ୍ଲବ ଆସନ,

ସ୍ୱର୍ଣ୍ଣପାତ୍ରମାନ ଦେଖି ପତ୍ରର ବାସନ ।

ହର୍ମ୍ମ୍ୟ ଦେଖି ତରୁତଳ ନିତି ପଡ଼େ ମନେ,

ସେ ସକଳ ଦୁଃଖଦାୟୀ ହୁଅନ୍ତି ଜୀବନେ ।

ବୃକ୍ଷମୂଳେ ବାସ ପତ୍ରପାତ୍ରର ଆହାର,

ଭୂମିରେ ମସିଣା ଶେଯରୂପେ ବ୍ୟବହାର ।

କଲେ, ତାର ଉପଶମ ହୁଏ କିଛି ଦୁଃଖ,

ପୁତ୍ର ଯା’ର ବନବାସୀ କାହିଁ ତାର ସୁଖ ।

ସମୟେ ସମୟେ ଆସି ବିରଞ୍ଚିତନୟ,

ବଖାଣନ୍ତି ପୁରାଣର କଥା ମଧୁମୟ ।

ଧାର୍ମିକ କିପରି ଧର୍ମ ରଖେ ପ୍ରାଣପଣେ,

ଧର୍ମ ପାଇଁ ଦୁଃଖରାଶି ସୁଖ ବୋଲି ମଣେ ।

ଧାର୍ମିକକୁ ଯେଉଁ ପରି ରଖଇ ଧରମ,

ଆଖ୍ୟାନରେ ଥାଏ ତାଙ୍କ ତହିଁର ମରମ ।

ସେ ସକଳ କଥା ଶୁଣି ଶ୍ରୀରାମଜନନୀ,

ଧରମକୁ ଧ୍ୟାୟିଥାନ୍ତି ଦିବସ-ରଜନୀ ।

ବୋଲୁଥାନ୍ତି ହେ ଧରମ ବିଶ୍ୱମୂଳାଧାର,

ତୁମ୍ଭରି ଆଜ୍ଞାରେ ଗତି ରବି ଚନ୍ଦ୍ରମାର ।

ହୋଇ ତୁମ୍ଭ ବଚସ୍କର ଗ୍ରହତାରାଗଣ,

ନିତି ନିତି କରୁଛନ୍ତି ଗଗନ ଭ୍ରମଣ ।

ତୁମ୍ଭରି ଆଦେଶ ଏକା ବରଷଇ ଜଳ,

ବସୁନ୍ଧରା ଦେଉଛନ୍ତି ନାନାବିଧ ଫଳ ।

କାଟି ଦେଇଅଛ ଯେଉଁ ଅମେଣ୍ଟନ ଗାର,

ନ ଲଙ୍ଘଇ କେବେ ମହାଊର୍ମି ପାରବାର ।

ଆଶ୍ରିତବତ୍ସଳ ବାନା ବହିଅଛ କରେ,

ତୁମ୍ଭକୁ ଯେ ଆଶ୍ରା କରେ ସଙ୍କଟରୁ ତରେ ।

ପିତୃସତ୍ୟ ପାଇଁ ମାନି ବିମାତା ବଚନ,

ମୋ ପ୍ରାଣପ୍ରତିମ ରାମ ଯାଇଅଛି ବନ ।

ପତିପଦସେବା ପାଇଁ ଜନକ-ନନ୍ଦିନୀ,

ବନବାସେ ହୋଇଛନ୍ତି ତା ଦୁଃଖଭାଗିନୀ ।

ଅଗ୍ରଜସେବାକୁ ମଣି ସୁପବିତ୍ର ଧର୍ମ,

ଲକ୍ଷ୍ମଣ ମୋ କରିଛି ତା ଜୀବନର କର୍ମ ।

ତୁମ୍ଭରି ଚରଣେ ମୋର ସୁଦୃଢ଼ ଭରସା,

ବିଖଣ୍ଡନ କରେ ତାଙ୍କ ସର୍ବ ମନ୍ଦ ଦଶା ।

ଧର୍ମସେବା ବ୍ରତ ରାଣୀ କରିଥାନ୍ତି ମୂଳ,

ଧର୍ମସେବା ପାଇଁ ତୋଳି ନିଜ ହସ୍ତେ ଫୁଲ ।

କରିବାକୁ ଧର୍ମଦେବ ମାନସ ତର୍ପଣ,

ଅର୍ଘ୍ୟ ସହ ନିତ୍ୟ ତାହା କରନ୍ତି ଅର୍ପଣ ।

କେବେ ଉପବନେ କେବେ ସରଯୂର କୂଳେ,

ବୁଲି ବୁଲି ତୋଳୁଥାନ୍ତି କୁସୁମ ଆକୁଳେ ।

ପୁଷ୍ପ ତୋଳି ତୋଳି ଯାନ୍ତି ବହୁ ଦୂର ଚାଲି,

ରାମ ମୋର ଆସୁଥିବ ଅବା ବୋଲି ଭାଳି ।

ଯେଉଁ ମାର୍ଗେ କରିଥିଲେ ଶ୍ରୀରାମ ଗମନ,

ସେହି ମାର୍ଗ ଦେଖିବାକୁ ସବୁବେଳେ ମନ ।

ନ ଭେଟି କୁମର ପୁଣି ଆସନ୍ତି ଲେଉଟି,

ପାଦପମୂଳରେ ବାରମ୍ବାର ବସି ଉଠି ।

ଗହଣରେ ସଖୀଗଣ ଥାନ୍ତି ଅନୁସରି,

ରାଣୀଙ୍କି ବାରଣ କେହି ନ ପାରନ୍ତି କରି ।

କେହି ଯଦି ବୋଲେ ମୁହିଁ ଆଣିଦେବି ଫୁଲ

ବୋଲନ୍ତି ମହିଷୀ ତା ମୋ ଧର୍ମପ୍ରତିକୂଳ ।

କାୟ-ମନ-ବଚନର ଏକତା ନ ଥିଲେ,

ପରହସ୍ତ ଧରମରେ ଫଳ ନାହିଁ ତିଳେ ।

କବେ ଅବା ହୋଇ ଜମ୍ବୁବନକୁ ବାହାର,

ପ୍ରିୟ ଖାଦ୍ୟରୂପେ ଜମ୍ବୁ କରନ୍ତି ଆହାର ।

କେବେ କେବେ ଉଠି ଉଚ୍ଚ ଅଟ୍ଟାଳୀ ଉପରେ,

ମାନସ ନିବେଶ କରି ଶ୍ରୀରାମ ରୂପରେ ।

ନିବେଶନ୍ତି ଦୃଷ୍ଟି ରାମ ଗମନ-ଅୟନେ,

ଦେଖନ୍ତି ଶ୍ରୀରାମ ରୂପ ମାନସ-ନୟନେ ।

ପ୍ରାବୃଟରେ ପଡ଼େ ଯେବେ ବରଷାର ଧାର,

କୌଶଲ୍ୟା-ନୟନୁ ଝରେ ଲୋତକ ଆସାର ।

ଦୃଷ୍ଟିଧାରେ ଚଉଦିଗ ଦିଶେ ଅନ୍ଧାକାର,

ନ ଦିଶଇ ପାଶେ ଥିବା ତରୁର ଆକାର ।

କେତେବେଳେ ଦିଶେ ତାଙ୍କ କଳ୍ପନାରେ ଦେଶେ

ରାମ ଛନ୍ତି ତରୁ ତଳେ ଯୋଗୀବର ବେଶେ ।

ଜାନକୀ ସହିତ ତାଳପତ୍ର ଛତ୍ର ଧରି,

ବୃଷ୍ଟି-ଜଳ-ସ୍ରୋତେ ପାଦପଦ୍ମ ମଗ୍ନ କରି ।

ଅଯୋଧ୍ୟାରେ ରାଜଛତ୍ର ରାଜସିଂହାସନ,

ରାଜଶୂନ୍ୟ ହୋଇ ଏଣେ ଦିଅନ୍ତି ଦର୍ଶନ ।

ଦୃଶ୍ୟ ଯୁଗ ଯୁଗପତ ହୃଦେ ହୋଇ ଠିଆ,

ବହ୍ନିରୂପେ ଦହୁଥାନ୍ତି ରାମେ-ମାତା-ହିଆ ।

ରଜନୀ ଯେ କାଳେ ମେଘମାଳେ ଭୟଙ୍କର,

ତିମିରହିଁ ହୋଇଥାଏ ଗାଢ଼ୁଁ ଗାଢ଼ତର ।

ଚମକି ଚପଳା କରି ଛାତି ଚମକିତ,

ବଜ୍ରନାଦ ଛାଡ଼ି ହୋଇଯାଏ ତିରୋହିତ ।

ପୁଣି ଆସି ପୁଣି ନାଦ ଛାଡ଼େ ଘୋରତର,

କମ୍ପାଏ ଗଗନ ବନ ମହୀ ମହୀଧର ।

ଦିଗୁଁ ଦିଗନ୍ତର ଭେଦି ଚଳେ ଘଡ଼ି ଘଡ଼ି,

ଚତୁର୍ଦ୍ଦିଗେ ଉଠୁଥାଏ ଦର୍ଦ୍ଦୂରଙ୍କ ରଡ଼ି ।

ଶିଶୁ ଥାଏ ଭୟେ ମାତୃକୋଳକୁ ଆଦରି,

ଘରେ ଜନେ ଲୁଚୁଥାନ୍ତି କୁଳିଶକୁ ଡରି ।

ଘରେ ଘରେ ବଦ୍ଧ ଥାଏ ସଭିଙ୍କର ମନ,

ପ୍ରାଙ୍ଗଣକୁ ସୁଦ୍ଧା କେହି ନ କରେ ଗମନ ।

ସେତେବେଳେ ରାଣୀ ରାମରଜନୀ ହୃଦୟ,

ବନେ ବନେ ଭ୍ରମୁଥାଏ ଆକୁଳ ଅଥୟ ।

କେତେବେଳେ ଭେଟେ ରାମ ପର୍ବତକନ୍ଦରେ

କେତେବେଳେ ବନେ ପର୍ଣ୍ଣକୁଟୀର ଭିତରେ ।

ଉଦିଲେ ବାସବ-ଧନୁ ନବ ନୀଳ ଘନେ,

ଚାପଧାରୀ ରାମ ଶ୍ୟାମମୂର୍ତ୍ତି ପଡ଼େ ମନେ ।

ନିଦାଘେ ଯେ କାଳେ ଭାନୁ ପ୍ରଚଣ୍ଡ କିରଣ,

ଅବନୀ ଉପରେ କରୁଥାନ୍ତି ବିକିରଣ ।

ଜଳ ତାପେ ମୀନଗଣ ବ୍ୟାକୁଳ ଜୀବନ,

ପାଟି ମେଲି କୁଞ୍ଜେ ଲୁଚିଥାନ୍ତି ଖଗଗଣ ।

ସେକାଳେ କୌଶଲ୍ୟା ମନ ବୁଲି ବନ ବନ

କରୁଥାଏ ପୁତ୍ର ପୁତ୍ରବଧୂ ଅନ୍ୱେଷଣ ।

ନିର୍ଝର-ଶୀକର-ସ୍ନିଗ୍‍ଧ-ନିକୁଞ୍ଜ-ସଦନେ,

ଘନ-ପର୍ଣ୍ଣବଟ ତଳେ ନିବିଡ଼ ଗହନେ ।

ନ ଭେଟି ଳେଉଟି ଆସେ ହୋଇ କ୍ଳାନ୍ତଶ୍ରାନ୍ତ,

ଦୁଃଖ-ଜଳଧିରେ ହୁଏ ନାବିକ ଦିଗ୍‌ଭ୍ରାନ୍ତ ।

ବସନ୍ତେ ବଲ୍ଲରୀ ହେଲେ ନବପଲ୍ଲବିତ,

ପ୍ରମଦ ଉଦ୍ୟାନ ହେଲେ କୋକିଳକୂଜିତ ।

ମାଧବୀ-ମଣ୍ଡପ ହୋଇ କୁସୁମ-ମଣ୍ଡିତ,

ଭ୍ରମର ଭ୍ରମଣେ ଯେବେ ହୁଏ ବିଲୋଡ଼ିତ ।

ପଲ୍ଳବ-ଅଧରା ସୀତା ମଧୁରବଚନା,

ମନୋହର ତାଙ୍କ ପୁଷ୍ପ-ଭୂଷଣ-ରଚନା ।

ରଞ୍ଜନ ଅଞ୍ଜନାଞ୍ଚିତ ନୟନ ତାରକ

ହେଉଥାନ୍ତି କୌଶଲ୍ୟାର ସ୍ମୃତି-ବିସ୍ଫାରକ ।

ଚଇତ୍ର ଆସିତେ ଯେଉଁ କାଳେ ସୁଧାକର,

ପୁଷ୍ୟା-ଭବନକୁ ଆସି ହୁଅନ୍ତି ଭାସ୍ୱର ।

କୌଶଲ୍ୟାର ଶୋକସିନ୍ଧୁ ହୋଇ ଉଦ୍‍ବେଳିତ,

ତରଙ୍ଗରେ କରେ ଜ୍ଞାନ-ପୁଳିନ ପ୍ଳାବିତ ।

ବୋଲନ୍ତି ଏ ଦିନେ ମୋ ରାମରତନ,

ମଣ୍ଡିବାର କଥା ଥିଲା ରାଜସିଂହାସନ ।

ରାଜଛତ୍ରେ ରାମ ହୋଇଥାନ୍ତି ସୁଶୋଭିତ,

ଶିରେ ହୋଇଥାନ୍ତା ରାଜ-ମୁକୁଟ ରାଜିତ ।

ରାଜପରିଚ୍ଛଦ ରତ୍ନ ଆଭରଣମାନ,

ଶ୍ରୀରାମର ଅଙ୍ଗେ ହୋଇଥାନ୍ତେ ଶୋଭମାନ ।

ନୀରାଜନା ବେଳେ ତାର ବଦନମଣ୍ଡଳ,

ରତ୍ନ କିରଣରେ ଦିଶୁଥାନ୍ତା ସମୁଜ୍ଜ୍ୱଳ ।

ଭାବୁଥିଲି ରାମ ହେବ ଭୁବନମଣ୍ଡନ,

କରିବ ପ୍ରକୃତିପୁଞ୍ଜ-ବିପଦ ଖଣ୍ଡନ ।

ଏହି ଆଶା ମୋ ହୃଦୟ-ଉଦ୍ୟାନ-ରୋପିତ

ହୋଇଥିଲା ପଲ୍ଲବିତ ପୁଣି କୁସୁମିତ ।

ଫଳିବାର କାଳେ ତାକୁ ଚରିଦେଲେ ମିଶି,

ମନ୍ଥରା-ଛାଗୀର ସହ କୈକେୟୀ-ମହିଷୀ ।

ରାଜା କି ହୁଅନ୍ତା ରାମ ହେଲା ନିର୍ବାସିତ,

ବିଧାତାର ଯାହା ଇଚ୍ଛା ତା ହେଲା ଫଳିତ ।

ସେହି ରାମ ଚିତ୍ରକୂଟେ ହେଲା ପ୍ରଦର୍ଶିତ,

ତରୁତଳେ ଜଟା-ଶିର ବିଭୂତି-ଭୂଷିତ ।

ବାପଧନ, ବନ ଗଲୁ ଜନକ ଆଜ୍ଞାରେ,

ମାତାର ଦଶାକୁ କିପାଁ ନ ଚାହିଁଲୁ ବାରେ ।

ଜୀବନ ଛାଡ଼ିଲେ ପିତା ତୋହରି ବିରହେ,

ନ ଦେଖିଲୁ ମୁଁ ଦୁଃଖିନୀ କି ଦୁଃଖରେ ରହେ ।

ଜନକ ତୋ ଦେଖୁଥିବେ ଶୂନ୍ୟେ ଥାଇ ତୋତେ,

ସେ ଭାଗ୍ୟ ତ ହେଲା ନାହିଁ କ୍ରୂର ବିଧି ମୋତେ ।

ନାହିଁ ପରେ ମୋର ପୂର୍ବ ତପସ୍ୟାର ବଳ,

ପାପଭୋଗ ପାଇଁ ପ୍ରାଣ ଧରିଛି କେବଳ ।

ଶେଷ ଜୀବନରେ ପାଇ କୁମାରରତନ,

କରିଥିଲି ପ୍ରାଣଠାରୁ ଅଧିକ ଯତନ ।

ତାକୁ ବନେ ପେଷି ମୋତେ ରଖାଇଛି ଘରେ,

ହୋଇଛି ସୁନ୍ଦର ଏହା ବିଧି ବିବେକର ।

ଦେହ ମାତ୍ର ଘରେ ଅଛି ତୋଠାରେ ଜୀବନ,

ବେନି ନାବେ ପାଦେ ଦେଇ ମରୁଅଛି ମନ ।

ମରୁଅଛି ମନ କିନ୍ତୁ ପାରୁନାହିଁ ମରି ।

କିମ୍ବା ବୁଡ଼ିଯାଉ ନାହିଁ ମୋ ଜୀବନ-ତରୀ

ଯାବତ ନ ହେବ ମୋର ପାପଫଳ ଶେଷ

ତାବତ ଏ ଦଶା ପରା ନ ଘୁଞ୍ଚିବ ଲେଶ ।

ହେ ବିଧେ ! ଏତକି ତୁମ୍ଭ ପାଦେ ନିବେଦନ,

ଯେତେ କଷ୍ଟ ଦେବ ତାହା ସହିବ ଜୀବନ ।

କିନ୍ତୁ କୁଶଳରେ ଫେରୁ ମୋ ପ୍ରାଣ ନନ୍ଦନ,

ଦେଖିବି ତା’ ସୁଧାମୟ-ଚନ୍ଦ୍ରମା-ବଦନ ।

ଆସୁ ମୋ ଜାନକୀ ମହୀ-ହୃଦୟର ହାର,

ତହିଁ ସଙ୍ଗେ ସଙ୍ଗେ ମୋର ଲକ୍ଷ୍ମଣକୁମାର ।

ଥରେ ମାତ୍ର ଦେଖେଁ ଯଦି ଶ୍ରୀରାମର ମୁଖ,

ନ ଗଣିବି ଚତୁର୍ଦ୍ଦଶ ବର୍ଷ-ବ୍ୟାପୀ ଦୁଃଖ ।

ପତି ସଙ୍ଗେ କରିଥାନ୍ତି ତ୍ରିଦିବ-ପ୍ରୟାଣ,

ଏକା ରାମ ଦେଖିବାକୁ ରଖିଅଛି ପ୍ରାଣ ।

ପୂର୍ବଜନ୍ମେ କରିଥିଲି କେତେ କେତେ ପାପ,

କା’ ପୁତ୍ର ଛଡ଼ାଇ ତାକୁ ଦେଇଥିଲି ତାପ ।

ପକ୍ଷୀର ଶାବକ ଅବା ଆଣିଥିଲି ଧରି,

କାନ୍ଦୁଥିଲା ପକ୍ଷିଣୀ ତା କୁମରକୁ ସ୍ମରି ।

କିବା ଗାଈଠାରୁ ଭିନ୍ନ କରିଥିଲି ବତ୍ସ,

ରାବି ରାବି ଫାଟୁଥିଲା ସେ ଗାଈର ବକ୍ଷ ।

ସେସବୁ ପାତକ ମୋର ହୋଇଯାଉ ଭୋଗ,

ଥାଉ ରାମଚନ୍ଦ୍ର-ମୁଖ-ଦର୍ଶନର ଯୋଗ ।

ତା ପାଇଁ ଧରିଛି ମୋର ନିର୍ଲଜ୍ଜ ଜୀବନ

କୁଶଳରେ ଫେରୁ ମୋର ଶ୍ରୀରଘୁନନ୍ଦନ ।

ଏହିରୂପେ କେତେ କଥା କେତେରୂପେ ଭାଷି,

ଅବିରଳ ଲୋତକର ପ୍ରବାହରେ ଭାସି ।

ହା ରାମ ହା ରାମଭଦ୍ର ହା ରାମରତନ

କହି ପୁଣି ପଡ଼ିଯାନ୍ତି ହୋଇ ଅଚେତନ ।

ଏହି ଭାବେ ବର୍ଷ ପରେ ବର୍ଷ ହେଲା ଗତ,

ଚତୁର୍ଦ୍ଦଶ ବର୍ଷ ଆସି ହେଲା ସମାପତ ।

ଦିନେ ରାଣୀ ନିଶା ଶେଷେ ଦେଖିଲେ ସ୍ୱପନେ,

ରାମ ଘେନି ଶୋଭୁଅଛି ରାଜସିଂହାସନ ।

ଜନକନନ୍ଦିନୀ ଘେନି ଶୋଭେ ରାମକୋଳ,

ବଜ୍ର(୨) ଅବତଂସେ(୩) ଶୋଭେ ଜାନକୀକପୋଳ ।

ପାର୍ଶ୍ୱେ ଛତ୍ର ଧରି ଉଭା କୈକେୟୀ-କୁମର,

ଢାଳନ୍ତି ସୌମିତ୍ରି-ଯୁଗ ଧବଳ ଚାମର ।

ଅସଂଖ୍ୟ ନୃପତି ହୋଇ ଭୂଷଣେ ଭାସ୍ୱର,

ରାମେ ଅର୍ଜିବାକୁ ମଣ୍ଡିଛନ୍ତି ସଭାଘର ।

ବ୍ୟୋମଯାନେ ଥାଇ ଜ୍ୟୋତିର୍ମୟ ଯୁବଗଣ,

କରୁଛନ୍ତି ରାମ ଶିରେ କୁସୁମ ବର୍ଷଣ ।

 

୧. କଙ୍କଣ-ଲୋତକଧାରା । ୨. ବଜ୍ର-ହୀରା । ୩. ଅବତଂସ-କର୍ଣ୍ଣଭୂଷଣ ।

Image

 

ତୃତୀୟ ସର୍ଗ

 

ରାମ ବନବାସ ଦିନୁ ଚଉଦ ବରଷ,

ଅଯୋଧ୍ୟାରେ ଘୋଟିଅଛି ପ୍ରଗାଢ଼ ବିରସ ।

ଚଉଦ ବରଷ ଏବେ ହୋଇଗଲା ଶେଷ,

ନ ମିଳିଲା ଶ୍ରୀରାମର କିଛିହିଁ ସନ୍ଦେଶ ।

ଶ୍ରୀରାମ-ଦର୍ଶନ ଆଶା ହୋଇ ପଲ୍ଲବିତ,

ନଗରବାସୀଙ୍କ ପ୍ରାଣ କରେ ଉତ୍କଣ୍ଠିତ ।

କରିବା ପାଇଁ କି ରାମେ ପ୍ରତିଉଦ୍‌ଗମନ,

ସଜ୍ଜିତ ହେବାକୁ ବଳେ ସଭିଙ୍କ ର ମନ ।

ଯାଇ ଚିତ୍ରକୂଟ କରି ଭକ୍ତି ପ୍ରଦର୍ଶନ,

ଆଣିବାକୁ ସମତ୍ସୁକ ସଭିଙ୍କ ଜୀବନ ।

ଭାବୁଥାନ୍ତି ବାହାରିବେ ଅବଶ୍ୟ ଭରତ,

ତା’ ହେଲେ ସକଳେ ହେବେ ତାଙ୍କ ଅନୁଗତ ।

ବାଳ ବନିତାଙ୍କୁ ମାତ୍ର ରଖିଯିବେ ଘରେ,

ଏ ବିଚାର କରୁଥାନ୍ତି ସମସ୍ତେ ହୃଦରେ ।

କେ ବୋଲେ ଶ୍ରୀରାମ ଯେବେ ନ ଆସିବେ ଘରେ

ନୃପତି ନ ହେବେ ଏହି ସାକେତ(୧) ନଗରେ ।

ଯହିଁ ରାମ ତହିଁ ଧାମ କରିବି ନିଶ୍ଚୟ,

ଦେଖୁଥିବି ନିତି ରାମରୂପ ମଧୁମୟ ।

କେ ବୋଲେ ମୁଁ ଧରିଥିବି ଡୋର କଉପୀନ

ନିଶ୍ଚେ ରାମ ନ ଛାଡ଼ିବେ ଯଦ୍ୟପି ବିପିନ ।

ରହିବି ତାଙ୍କରି ପାଶେ ଯୋଗୀବେଶ ଧରି,

ରାମ ବିନା ଗ୍ରାମ ନୁହେ ଅରଣ୍ୟର ସରି ।

ତା ସହଧର୍ମିଣୀ ଶୁଣି ସ୍ୱାମୀର ବଚନ,

ବୋଲେ ତେବେ ତୁମ ସଙ୍ଗେ କରିବି ଗମନ ।

ତମ୍ଭେ ଯଦି ଯୋଗୀ ହେବ ମୁଁ ହେବି ଯୋଗିନୀ

ହୋଇଥିବି ସଦା ସୁଖ-ଦୁଃଖର ଭାଗିନୀ ।

ଦେଖ ସୀତା ନେଇ ବନ ଗଲଏେ ରଘୁପତି,

ମୋତେ ନେବା ପାଇଁ ତୁମ୍ଭ କି ଅଛି ଆପତ୍ତି ?

ହସି କାନ୍ତ ବୋଲେ ତାହା ଭାଗ୍ୟ ସିନା ମୋର

ବନ-କଷ୍ଟ ନ ଗଣିବି ସଙ୍ଗେ ଥିଲେ ତୋର ।

ବଶିଷ୍ଠଙ୍କୁ ପଚାରନ୍ତି ଶ୍ରରାମଜନନୀ,

କହ ବିଜ୍ଞବର ବର୍ଷ ମାସ ତିଥି ଗଣି ।

ଚଉଦ ବରଷ ହୋଇନାହିଁ କି ପୂରଣ,

କେବେ ବାହୁଡ଼ିବ ମୋର ଶ୍ରୀରାମ ରତନ ।

ଯେବେ ପାରିଲେ ତୁମ୍ଭ ଚରଣ-କମଳେ,

ବୋଲୁଅଛ ରାମଭଦ୍ର ଅଛନ୍ତି କୁଶଳେ ।

ଆଉ କେତେ ଦିନ ବନେ ରହିବ ମୋ ରାମ

ଅଦ୍ୟାପି କି ହୋଇନାହିଁ ବିଧି ପୂର୍ଣ୍ଣକାମ ।

ଆଉ କେତେ କଷ୍ଟ ମୋତେ ସହିବାକୁ ହେବ,

ସଦୟହୃଦୟେ ଆଜ୍ଞା କର ଗୁରୁଦେବ !

ଦିନଯାକ ବତ୍ସ ଛାଡ଼ି ଗାଈ ପାରେ ରହି,

ସନ୍ଧ୍ୟା ହେଲେ ସେ ବିରହ ନ ପାରଇ ସହି ।

ଅବଶିଷ୍ଟ ଅଛି ଯଦି ଦୁଇ ଚାରି ଦିନ,

ରାମ ଲୋଡ଼ିଯିବାର କି ହେବ ବିଧିହୀନ ?

ଭରତର ହୃଦୟରେ ଅଛି କି ବିଚାର,

ରାମର ସମ୍ବାଦ ପାଇଁ ପେଷିଛି କି ଚାର ?

ଯଦ୍ୟପି ସେ ରାଜ୍ୟ ଛାଡ଼ି ନ ପାରିବ ଯାଇ,

ମୋ ଯିବାର ଆୟୋଜନ କରନ୍ତୁ ଗୋସାଇଁ !

ବନେ ବନେ ଲୋଡ଼ି ଲୋଡ଼ି ଆଣିବି ଶ୍ରୀରାମ,

ଯା ଉଚିତ ଆଜ୍ଞା ମୋତେ ଦିଅ ଜ୍ଞାନଧାମ !

ସ୍ୱପନରେ ଦେଖିଥିଲେ ଦେବୀ ଯେ ସକଳ,

ମୁନି ଆଗେ ବିବରିଲେ ତାହା ଅବିକଳ ।

ବିଧିସୁତ ସବୁ ଶୁଣି ବୋଇଲେ ଗୋ ବତ୍ସେ,

ରାମର ମଙ୍ଗଳ ତାହା ସୂଚୁଅଛି ସ୍ୱଚ୍ଛେ ।

ସ୍ୱପନ ତୁମ୍ଭର ଆଶୁ ହୋଇବ ସଫଳ,

କଷ୍ଟ ଶେଷ ହୋଇଅଛି ନ ହୁଅ ବିକଳ ।

ଦୁଗ୍‌ଧ ଦେବା ପାଇଁ ଗାଈ ସହିଥାଏ କଷ୍ଟ,

ଦୁହିଁଲାରୁ ବାଛୁରୀରେ ନ ଥାଏ ଆକଟ ।

ନିରୂପିତ କାଳ ଏବେ ହୋଇଗଲା ପୂର୍ଣ୍ଣ

କୁଶଳେ ଶ୍ରୀରାମଭନ୍ଦ୍ର ବାହୁଡ଼ିବେ ତୂର୍ଣ୍ଣ(୨)

କହି ତହିଁ ବାହୁଡ଼ିଲେ ମୁନି ନିଜାଶ୍ରମେ,

କୁମାର ଦିଦୃକ୍ଷା ରାଣୀ ବୃଦ୍ଧି କଲେ କ୍ରମେ ।

ନନ୍ଦିଗ୍ରାମେ ଲାଗିଅଛି ଭରତ ଭାବନା,

କେବେ ହେବେ ପ୍ରତ୍ୟାଗତ ରାମ ମହାମନା ।

କେଉଁ ମାର୍ଗେ ବାହୁଡ଼ିବେ ଜାଣିବି କିପରି,

ଯାଇଥାନ୍ତି ପଥକୁ ମୁଁ ନେଇ ରଥ, କରୀ ।

ଯାଇଥାନ୍ତି ରାଜଭୂଷା ରାଜପରିଚ୍ଛଦ,

ଅମାତ୍ୟ ସହିତ ଯାଇଥାନ୍ତେ ସଭାସଦ ।

ରଘୁନାଥ ହୋଇ ରାଜବେଶେ ସୁସଜ୍ଜିତ,

ଅଯୋଧ୍ୟା ନଗରେ ହୋଇଥାନ୍ତେ ବିରାଜିତ ।

ସୁବର୍ଣ୍ଣ-ଶିବିକା ନେଇଥାନ୍ତି ଦେବୀ ପାଇଁ,

ବେଶଭୂଷା ଧରି ଦାସୀଗଣ ଥାନ୍ତେ ଯାଇ ।

ଆଗହୁଁ କିପାଇଁ ପ୍ରଭୁ ନ ଦେଲେ ସମ୍ବାଦ,

ତୁଟି କି ପାରିଲା ନାହିଁ ଅସୁର-ବିବାଦ !

ସୈନ୍ୟ ନେଇ ପତି-ଶୂନ୍ୟ କରି ନିଜ ଦେଶ,

ଯିବା ପାଇଁ ହୋଇ ନାହିଁ ପ୍ରଭୁଙ୍କ ଆଦେଶ ।

ଏହିରୂପେ ଘାଣ୍ଟିହେଲା ଭରତଙ୍କ ଚିତ୍ତ,

ବିଚାରିଲେ ବଶିଷ୍ଠଙ୍କୁ ପୁଚ୍ଛିବା ଉଚିତ ।

ଏକାଳେ ମାନବ ଏକ ବୀରଙ୍କ ସମ୍ମୁଖେ,

ପୟରେ ପ୍ରଣମି ଉଭା ଅବନତମୁଖେ ।

ବୋଇଲା, ‘‘ହେ ଯୋଗୀବର, କହ କି କାରଣ

ଗ୍ରାମେ ରହି ଯୋଗୀବେଶ କରିଛି ଧାରଣ ।

ଏଥି ରାଜୋଚିତ ଛତ୍ର ଚାମର କାହିଁର,

ମନ୍ଦିରଟି ଅଟଇ ବା କେଉଁ ନୃପତିର ?

ରାଜଭୃତ୍ୟ ବେଶଧାରୀ ନାହିଁ କେହି ଜଣେ,

ସମସ୍ତେ ରହୁଛ ଜଟା-ବିଭୂତି-ଭୂଷଣେ ।

ଉପାସନା କରୁଅଛ ଅଥବା କାହାର,

ଏ ବିଭବେ ଥାଇ କିସ କରୁଛ ଆହାର ।

କରିଛ ତ ଯୋଗୀ-ଯୋଗ୍ୟ ମୃଗ-ଚର୍ମାସନ,

ପାଶେ କିପାଁ ରଖିଅଛ ଶର ଶରାସନ ।

ବଦନେ ପଡ଼ିଛି କିପାଁ ବିଷାଦର ଛାୟା,

କହିବ କି ଯୋଗୀବର, ମନୁ ତେଜି ମାୟା ?

ଜୟ ରାମ ରଘୁବୀର ବିପିନବିହାରୀ,

ସତ୍ୟସନ୍ଧ ସୀତାନାଥ ରକ୍ଷୋଦର୍ପହାରୀ ।

ଏତେ କହି ମୌନ ହେଲା ଆଗନ୍ତୁକ ନର,

ଚକିତ ଚାହିଁଲେ ତାକୁ କୈକେୟୀକୁମର ।

କରି ପ୍ରେମ ଗଦଗଦେ ଅଶ୍ରୁ ବିସର୍ଜ୍ଜନ,

ସସମ୍ଭ୍ରମେ ଉଠି ତାକୁ କଲେ ଆଲିଙ୍ଗନ ।

ସତ୍ୱର ଅଣାଇ ଏକ ସୁବର୍ଣ୍ଣ ଆସନ,

ତହିଁ ବସିବାକୁ କଲେ ସ୍ନେହ ପ୍ରଦର୍ଶନ ।

ଆସନ ସ୍ପରଶ କରି ଆଗନ୍ତୁକ ନର,

ଭକ୍ତିଭରେ ମସ୍ତକରେ ଲଗାଇଲା କର ।

ତା ଦେଖି ଭରତ ବୋଲେ, ‘‘କହ ମହାଭଗ

କେଉଁଠାରୁ ଆସି ମୋତେ କଲ ଅନୁରାଗ ।

ସଂକ୍ଷେପରେ ପ୍ରଭୁ ନାମ କଲେ ଉଚ୍ଚାରଣ,

ମରୁକ୍ଷେତ୍ରେ କଲ ଜଳକଣିକା ସେଚନ ।

ଚିରତୃଷାତୁର ତହିଁ ମୁଁ ଦୀନ ଚାତକ,

ଚଖାଇ ତା ବଢ଼ାଇଲା ପିପାସା ମାତ୍ରକ ।

ଜାଣିଛି କି କାହିଁଛନ୍ତି ରାଜୀବ-ଲୋଚନ,

କହି ବେଗେ କର ମୋର ଦୁଃଖ ବିମୋଚନ ।

କାହିଁ ବା କିରୂପେ କଲେ ଅସୁରଦମନ,

କରୁଅଛନ୍ତି କି ପ୍ରଭୁ ଶୁଭ ଆଗମନ ?

ଭରତ ମୁଁ ପ୍ରଭୁଙ୍କର ବିମାତୃକୁମାର,

ତାଙ୍କ ବନନିବାସର କାରଣ ମୁଁ ଛାର ।

ଏହି ଶ୍ୱେତ ଆତପତ୍ର ଏ ଶ୍ୱେତ ଚାମର,

ପ୍ରଭୁଙ୍କର ଅଟେ, ତାଙ୍କ ଦାସ ମୁଁ ପାମର ।

ଛତ୍ର ତଳେ ସେଖ ରତ୍ନପାଦୁକା ରାଜିତ,

ନିତି ନିତି ହୋଇଅଛି ଏ ଦାସେ ପୂଜିତ ।

ଏ ଦେଶର ରାଜା ସେହି କୌଶଲ୍ୟାକୁମାର,

କର ମୋତେ ପ୍ରଭୁ ଧନେ ପ୍ରହରୀ ବିଚାର ।

ଚିତ୍ରକୂଟେ ପ୍ରଭୁଙ୍କର ଦେଖି ଯୋଗୀବେଶ,

କରିଅଛି ଜଟ ତାଙ୍କ ଦାସ ନିଜ କେଶ ।

ଏଥେଁ-ଦେଖୁଅଛ ଯେତେ ରାଜକର୍ମଚାରୀ,

ସର୍ବେ ହୋଇଛନ୍ତି ସେହି ହେତୁ ଜଟାଧାରୀ ।

ଫଳମୂଳ ଖାନ୍ତି ପ୍ରଭୁ ବିପିନ-ବିହାରୀ,

ଏଣୁ ଦାସ ହୋଇଅଛି ଫଳମୂଳାହାରୀ ।

ପ୍ରଭୁଧନ ଶତ୍ରୁଗଣ ନ ପାରିବେ ହରି,

ତେଣୁ ଧନୁଶର ପାଶେ ରଖେଁ ମୁଁ ପ୍ରହରୀ ।

ଚିତ୍ରକୂଟେ ପ୍ରଭୁ କରିଅଛନ୍ତି ଆଦେଶ,

ବାହୁଡ଼ିବେ ଚତୁର୍ଦ୍ଦଶ ବର୍ଷ ହେଲେ ଶେଷ ।

ପୂର୍ଣ୍ଣ ହୋଇଗଲା ଏବେ ଚଉଦ ବରଷ,

ପ୍ରଭୁପଦ ଅଦର୍ଶନୁ ମୋ ମନ ବିରସ ।

ହେ ଭଦ୍ର, ନ କରି ଦୀନେ ବିକୃତ ବିଚାର,

କହ ବେଗେ ପ୍ରଭୁଙ୍କର ଶୁଭ ସମାଚାର ।’’

ଆଗନ୍ତୁକ ଶୁଣି ପୁଣି ଅତି ଭକ୍ତିଭରେ,

ବାରମ୍ବାର ପ୍ରଣମିଲା ଭରତ-ପୟରେ ।

ବୋଇଲା, ‘‘ଭୋ ବୀରବର ଜୀବନ ତୋ ଧନ୍ୟ,

ଧନ୍ୟ ରଘୁବଂଶ ଧନ୍ୟ ଅଯୋଧ୍ୟାଭୁବନ ।

ଯହିଁ ଜନମିଲ ତୁମ୍ଭେ ଶ୍ରୀରାମ ଭରତ,

ମହିମା ତୁମ୍ଭର ଧନ୍ୟ, ଧନ୍ୟ ତୁମ୍ଭ ବ୍ରତ ।

ମନରେ ଅଛି କି ବୀର ରଜନୀବିହାର

କାହା ଅଙ୍ଗେ କରିଥିଲ ବାଟୁଳି ପ୍ରହାର ?

କେ ପଡ଼ିଲା ସେ ପ୍ରହାରେ ହୋଇ ହତଜ୍ଞାନ,

ଶ୍ରୀରାମର ଦାସ ମୁହିଁ ସେହି ହନୁମାନ ।

ଭାଗ୍ୟବଳେ ସେହି ରାତ୍ରେ ଗିରିଶୃଙ୍ଗ ନେଇ,

ଧନ୍ୟ ହେଲି ଶ୍ରୀରାମଙ୍କ ସନ୍ନିଧିରେ ଦେଇ ।

ଔଷଧି ତା ଯୋଗ୍ୟ ହେଲା ଲକ୍ଷ୍ମଣ ସେବାର,

ଚରିତାର୍ଥ ହେଲା ମୋର ଜୀବନ ସେ’ବାର ।

ରାବଣର ବଂଶ ରାମ କରି ନିସୂଦନ,

ଆସୁଅଛି ମଣ୍ଡିବାକୁ ପୈତୃକସଦନ

ଆସୁଛନ୍ତି ବଇଦେହୀ ସୁମିତ୍ରାନନ୍ଦନ,

ଆରୋହି ଅମରପଥେ ପୁଷ୍ପକ ସ୍ୟନ୍ଦନ ।

ସଙ୍ଗେ ଛନ୍ତି ବିଭୀଷଣ ରାବଣ-ଅନୁଜ,

ସୈନ୍ୟ ସହ କପିରାଜ ଭାସ୍କର-ତନୁଜ ।

କାଲି ଥିଲେ ଭରଦ୍ୱାଜ ଶୁଭାଶ୍ରମ-ପଦେ,

ବିରାଜିତ ହେବେ ଆଜି ଏହି ଜନପଦେ

ବୁଝିବାକୁ ତୁମ୍ଭ ମନ ସରାଗ ବିରାଗ,

ଆଗେ ମୋତେ ପେଷିଛନ୍ତି ରାମ ମହାଭାଗ ।

ଦୋଷ ଯଦି ଦେଖିଥାନ୍ତି ତୁମ୍ଭ ଆଚରଣେ,

ବାହୁଡ଼ି ଜଣାଇଥାନ୍ତି ଶ୍ରୀରାମଚରଣେ ।

ବନରାଜ୍ୟେ କରିଥାନ୍ତେ ରାମ ରାଜପଣ,

ଅଯୋଧ୍ୟାନରେଶ ହୋଇ ରହନ୍ତେ ଆପଣ ।

‘‘ତୁମ୍ଭ ଦୁଃଖ ନ ଇଚ୍ଛନ୍ତି ଶ୍ରୀରାମ ସ୍ୱପନେ,

ବରଞ୍ଚ ସନ୍ତୁଷ୍ଟ ଥାନ୍ତି ସେ ତାପସପଣେ ।’’

ଏତେ କହି ଦେଖାଇଲା ନିଜ କଳେବର,

ବିସ୍ମୟେ ଅନାଇ ତାକୁ କୈକେୟୀକୁମର

ସଲଜ୍ଜେ ସାନନ୍ଦେ ହୋଇ ବିନତବଦନ,

ଆଲିଙ୍ଗନ କରି ପୁଣି କଲେ ନିବେଦନ

‘‘କହ ନା କହ ନା ଭାଇ, ବାଟୁଳିର କଥା,

ଦହନା ଦହନା ଆଉ ଦେଇ ମର୍ମବ୍ୟଥା

ମଜ୍ଜାଇଲ ରାମକଥା-ଅମୃତ-ସାଗରେ,

ବଞ୍ଚାଇଛ ଭାଇକି ମୋ ପ୍ରେମାନୁରାଗରେ

କି ଦେଇ ପାରିବି କରି ତୁମ୍ଭ ମନ ତୋଷ

ଏତିକି ମାଗୁଣି ମୋର କ୍ଷମା କର ଦୋଷ

ମୁହିଁ ତ ଶ୍ରୀରାମଙ୍କର ଅକିଞ୍ଚନ ଦାସ,

ଶୁଷ୍କ ଆଲିଙ୍ଗନ ଘେନି ଦୂର କର ପ୍ରାସ ।

ଅଧିକ କଥାକୁ ଆଉ ନାହିଁ ଅବସରା,

ଶ୍ରୀରାମଜନନୀ ଆଗେ କହୁଛି ସତ୍ୱର ।

ହେଉଛି ସଜ୍ଜିତ ପ୍ରଭୁ ପ୍ରତିଉଦ୍‌ଗମନେ,

ଦେଉିଛି ଆଦେଶ ପୁଣି ଭାଇ ଶତ୍ରୁଘନେ

ନଗରେ ନଗରେ ସର୍ବେ ହେବାକୁ ସଜ୍ଜିତ

କରିବାକୁ ରଘୁପତି ମାନସ ରଞ୍ଜିତ

ବାତଜ ନିକଟୁଁ ନେଇ ମେଲାଣି ସତ୍ୱର,

କୌଶଲ୍ୟା ଛାମୁରେ ଉଭା ଯାଇ ତରତର ।

କରଯୋଡ଼ି କହେ କରି ଚରଣବନ୍ଦନ–

‘‘ଜନନୀ ଗୋ, ଆସୁଛନ୍ତି ଶ୍ରୀରଘୁନନ୍ଦନ

ସ୍ୱର୍ଣ୍ଣ-ଶିବିକାରେ ବେଗେ ବିଜେକର ମାତଃ

ଅଦୂରେ ଭେଟିବା ଏବେ ଅଯୋଧ୍ୟାରେ ନାଥ ।’’

ଶୁଣି ଦେବୀ ଆନନ୍ଦରେ ହେଲେ ଗଦଗଦ,

ଦରିଦ୍ର ଲଭିଲା କିବା ବାସବ ସମ୍ପଦ ?

ଶ୍ରୁତିପଥେ କରି ରାମ-ମଥାମୃତ ପାନ,

ନିର୍ଜୀବ ଶରୀରେ ହେଲା ଆବିର୍ଭୂତ ପ୍ରାଣ ।

ବୋଇଲେ, ‘‘ବାବୁରେ, ଆସୁଅଛି ନା ଲକ୍ଷ୍ମଣ ?

କହ ବାବୁ, ଜାନକୀର କୁଶଳ ଲକ୍ଷ୍ମଣ ।’’

ଭରତ ବୋଇଲେ, ‘‘ମାତଃ, ସକଳ ମଙ୍ଗଳ,

ସର୍ବେ ଆସୁନ୍ତି ସଙ୍ଗେ ଘେନି ଦଳବଳ ।’’

ସମୀପେ ସୁମିତ୍ରା ଥିଲେ ଶୁଣି ସେ ସକଳ,

ଦୁର୍ବଳ ଦେହରେ ତାଙ୍କ ସଞ୍ଚରିଲା ବଳ ।

ପାଦ ହେଲା ଭରତର ମସ୍ତକେ ବନ୍ଦିତ,

ତା ବଚନେ ହେଲା ପୁଣି ହୃଦ ଆନନ୍ଦିତ ।

ବଶିଷ୍ଠ ସମୀପେ ତହୁଁ ହୋଇ ଉପଗତ,

ଶ୍ରୀରାମ ବିଜୟ-ବାର୍ତ୍ତା କହିଲେ ଭରତ ।

ଆଣିବାକୁ ରାମେ କରି ପ୍ରତିଉଦ୍‌ଗମନ,

ସତ୍ୱର ସକଳେ ହେଲେ ଉତ୍କଣ୍ଠିତମନ ।

ଅଶ୍ୱ ଗଜ ସଜା ହେଲେ ଶତ୍ରୁଘ୍ନ ନିଦେଶେ,

ରାଜଭୃତ୍ୟ ସଜ ହେଲେ ନିଜ ନିଜ ବେଶେ ।

ଚିରାଳ ପଟଳେ ହେଲା ଗଗନ ମଣ୍ଡିତ,

ଶଙ୍ଖ ଭେରୀ ନାଦେ ହେଲା ଅବନୀ ନାଦିତ ।

ପରିଚାରୀପରିବୃତା ଶିବିକା ଭିତରେ,

ବସି ବାହାରିଲେ ରାଣୀବୃନ୍ଦ ସୁଚିତ୍ତରେ ।

ବାହାରିଲେ ବଶିଷ୍ଠଙ୍କୁ ଘେନି ମୁନିଗଣ,

କେ ରଥେ କେ ଗଜପୃଷ୍ଠେ କରି ଆରୋହଣ ।

ପ୍ରଜାବୃନ୍ଦ ବାହାରିଲେ ଉଲ୍ଲାସରେ ମାତି,

ବାଳବୃନ୍ଦ ବାହାରିଲେ ଉଲ୍ଲସାଇ ଛାତି ।

ରାମ-ଦରଶନ ଆଶେ ସମସ୍ତେ ଆକୁଳ,

ନନ୍ଦିଗ୍ରାମେ ଅତି ବେଗେ ଯାଇ ହେଲେ ଠୁଳ ।

କରି ହେମପାତ୍ର ରତ୍ନ-ପାଦୁକା ସ୍ଥାପନ,

ଶିରେ ଧରି ବାହାରିଲେ ଭରତ ଆପଣ ।

ଶଶାଙ୍କଶେଖର ପରି ହେଲେ ମନୋହର,

ରାମ-ପାଦ ଳକ୍ଷ୍ୟ କରି ହେଲେ ଅଗ୍ରସର ।

ପାଦୁକା ଉପରେ ହେଲା ଚାମରଚାଳନ

ରାଜଛତ୍ର କଲା ତହିଁ ଆତପ ବାରଣ ।

ଯାଉଁ ଯାଉଁ ଭରତକୁ କହେ, ହନୁମାନ–

‘‘ଦେଖ ବୀର, ଦିଶିଲାଣି ପୁଷ୍ପକବିମାନ ।

ହେଇ ଯେ ଦିଶୁଛି ଦୂରେ ତାରକା ସମାନ,

ସେହିଟି ଆସିୁଛି ହୋଇ ବ୍ୟୋମେ ଭାସମାନ ।’’

କାହିଁ କାହିଁ ବୋଲି ତହିଁ ପଡ଼ିଲା ଚହଳ,

କେ ଦେଖିଲା, କାହା ଦୃଷ୍ଟି ନ ହେଲା ସଫଳ ।

ଯେ ଦେଖିଲା କରି ସେହୁ କର ଉତ୍ତୋଳନ,

ଅପରକୁ ସେହି ଦୃଶ୍ୟ କରାଏ ଦର୍ଶନ ।

ବୃହତ୍‌ର ବୃହତ୍ତର ହୋଇ ସେ ବିମାନ,

କ୍ରମେ କ୍ରମେ ଦୃଶ୍ୟ ହେଲା ଚନ୍ଦ୍ରମା ସମାନ ।

ମନ୍ଦ ମନ୍ଦ ରଥଧ୍ୱନି ଶୁଭିଲା ପ୍ରଥମେ,

ଗଭୀରୁଁ ଗଭୀରତର ହେଲା କ୍ରମେ କ୍ରମେ ।

ଦେଖୁ ଦେଖୁଁ ଉପଗତ ପ୍ରକାଣ୍ଡ ସ୍ୟନ୍ଦନ,

ଚଉଦିଗେ କରୁଅଛି ଜ୍ୟୋତି ନିଃସ୍ୟନ୍ଦନ ।

ଭରତକୁ ଚାହିଁ ରାମ ରୁହାଇଲେ ରଥ,

ଦେଖିଲେ ପାଦୁକା ଶିରେ ବହିଛି ଭରତ ।

ଜଟାଶିର ଶୀର୍ଣ୍ଣକାୟ ଭରତକୁ ଚାହିଁ,

ଶୀଘ୍ର ରଥୁଁ ଓହ୍ଲାଇଲେ ଆଲିଙ୍ଗିବା ପାଇଁ ।

ଲୋତକପ୍ଳାବିତ ହେଲା ସର୍ବ ଅପଘନ,

ବୋଇଲେ, ‘‘ହେ ପ୍ରିୟ ଭ୍ରାତଃ, ପ୍ରେମ ତୋର ଧନ୍ୟ ।

ପିତୃ ଆଦେଶରେ ସିନ ମୁହିଁ ଗଲି ବନ,

ମୋ ପାଇଁ ତୋ ଯୋଗୀବେଶ ଧନ୍ୟ ଭାଇ ଧନ୍ୟ ।

ରତନମୁକୁଟ ଯେଉଁ ଶିରେ ନୁହେ ମନା,

ମୋ ପାଦୁକା ଧରୁ ତହିଁ ଧନ୍ୟ ମହାମନା ।

ତୋହୋ ବ୍ରତ ବଳେ ବତ୍ସ ଦୁସ୍ତର ସଙ୍କଟ,

ପାରହୋଇ ଉପଗତ ହେଲି ତୋ ନିକଟ ।

ଦେଖି ତୋର ପ୍ରେମପୂର୍ଣ୍ଣ ପ୍ରଫୁଲ୍ଲ ବଦନ,

କରୁଛି ମୋ ନେତ୍ର ପ୍ରୀତିସୁଧା ଆସ୍ୱାଦନ ।

ବନେ ରହି ଯାହା କିଛି ପାଇଥିଲି ଦୁଃଖ,

ଆଜି ସବୁ ପାସୋରିଲି ଚାହିଁ ତୋ ଶ୍ରୀମୁଖ ।’’

ତହୁଁ ତାକୁ କରିବାକୁ ପ୍ରେମ ଆଲିଙ୍ଗନ

ବଢ଼ାନ୍ତେ ଶ୍ରୀହସ୍ତ, ବୀର ଧଇଲା ଚରଣ ।

ଆନନ୍ଦାଶ୍ରୁଜଳେ ତାହା କରି ପ୍ରକ୍ଷାଳନ,

ଭକ୍ତି-ଗଦଗଦ ସ୍ୱରେ କଲା ନିବେଦନ ।

‘‘ଜୟ ରଘୁକୁଳ-ସିନ୍ଧୁଜାତ ସୁଧାକର,

କୌଶଲ୍ୟା ବାସବୀ(୩) କୋଳେ ଉଇଁ ମନୋହର ।

ବନବାସ-ଘନ କରିଥିଲା ଆବରଣ,

ଭୁବନମଙ୍ଗଳ ଥିଲା ତହିଁର କାରଣ

ଦାନବ-ତିମିର-କୁଳ କରି ପରାଜିତ,

ନିର୍ମଳ ଗଗନେ ଆସି ହେଲେ ବିରାଜିତ

ବୈଦେହୀ-କୌମୁଦୀ ପଦ ସଂସ୍ପରଶ କରି,

ଅଯୋଧ୍ୟା-କୁମୁଦ-ବନ ମୁଦେ ଯାଉ ଭରି ।

ଗୁଣର ସାଗର ନାଥ ଦୟାର ଆକର,

ପରଦୋଷ-ନଦୀଜଳ ଗୁଣରୂପେ ଧର ।

ତୁମ୍ଭଠାରେ ପଡ଼ି ତାହା ଗୁଣେ ହୁଏ ଲୀନ,

ଗୁଣ ତୁମ୍ଭ ବୁଦ୍ଧି ବିନା ହୁଏ ନାହିଁ କ୍ଷୀଣ

ମୋ ଜନନୀ କଲା ତହିଁ ଅନଳ କ୍ଷେପଣ,

ଦାହ କି କରନ୍ତା ବହ୍ନି ଲିଭିଲା ଆପଣ

କ୍ଷେପିକାର ହସ୍ତଦାହ ମାତ୍ର ହେଲା ସାର,

ତହିଁ ଶାନ୍ତି-ବାରି ଦିଅ ଶାନ୍ତିର ଭଣ୍ଡାର ।

ମସ୍ତେକ ମୋ ଦେଇଅଛ ଯେଉଁ ଗୁରୁଭାର

ନିଜ ଭାର କର ନିଜ ହସ୍ତରେ ଉଦ୍ଧାର

ସେବୁଥିବି ଶ୍ରୀ ଅମଳ କମଳ-ଚରଣ,

ଶରଣବତ୍ସଳ ସେ ମୋ ଆଜନ୍ମ ଶରଣ

ପାଦୁକାବିହୀନେ ଦିଶୁଅଛି ଅସୁନ୍ଦର,

ବୋଲି ତାହା ଖଞ୍ଜିଦେଲେ ଶ୍ରୀରାମ-ପୟର ।

ଶ୍ରୀରାମ ବୋଇଲ, ‘‘ବତ୍ସ ! ଜନନୀ ତୋ ଧନ୍ୟ,

ଯା’ର ଗର୍ଭେ ଜାତ ତୁହି କୁମରରତନ

ତାଙ୍କ ଯୋଗୁଁ ପିତା ହେଲେ ଭୁବନବିଶ୍ରୁତ,

ସ୍ୱର୍ଗସିଂହାସନ ତାଙ୍କ ହେଲା ସୁବିସ୍ତୃତ

ପ୍ରତିଶ୍ରୁତଦାନେ ପିତା ହେଲେ ପୁଣ୍ୟଯଶା,

ସମୁନ୍ନତ କଲେ କୁଳ ଧରମର ଦଶା ।

ହୋଇ ନାହିଁ ଜନକଙ୍କ ନିଷ୍ଫଳ ମରଣ,

ଚିରକାଳ ଲୋକ ତାଙ୍କୁ କରିବ ସ୍ମରଣ

ଧର୍ମ ଅନୁରୋଧେ ଯେହୁ କରେ ପ୍ରାଣଦାନ,

ସେ ବୋଲାଇଥାଏ ରଘୁବଂଶରେ ପ୍ରଧାନ ।

ନଶ୍ୱର ଶରୀର ମାତ୍ର ପିତା ଦେଲେ ଛାଡ଼ି,

ବସିଛନ୍ତି ସ୍ୱର୍ଗେ ଉଚ୍ଚ ସିଂହାସନ ମାଡ଼ି ।

ବନବାସେ ମୋର ହୋଇ ନାହିଁ ଅମଙ୍ଗଳ,

କଷ୍ଟ ଯାହା ହେଲା ତହୁଁ ଫଳିଲା ସୁଫଳ ।

ପାଇଲି ମୁଁ ବହୁ ସିଦ୍ଧ ମୁନିଙ୍କ ଦର୍ଶନ,

କେତେ ଅବା ପୁଣ୍ୟତୀର୍ଥ କଲି ପର୍ଯ୍ୟଟନ

ଦେଖିଲି ମହୋର୍ମ୍ମିମୟ ଦକ୍ଷିଣ ସାଗର,

କନକ-ପ୍ରାସାଦମୟ ଅସୁର-ନଗର

ଲଭିଲି ସୁଗ୍ରୀବ ପରି ବାନ୍ଧବରତନ,

ଉପକାରୀ ହନୁମାନ, ମିତ୍ର ବିଭୀଷଣ

ପାଇଲି ତ୍ରିପୁରଜୟୀ ରାବଣର ରଣ,

ବଂଶବୈର ରକ୍ତେ କଲି ପିତୃ ସନ୍ତର୍ପଣ

ଦେଖିଲି ତ୍ରିଦିବବାସୀ ପିତାଙ୍କ ଚରଣ,

ପୁଷ୍ପକରେ ବସି କଲି ବ୍ୟୋମ ବିଚରଣ

ରଘୁବଂଶ ପକ୍ଷେ ଏହା ନୁହେଁ କି ଗୌରବ ?

ଏ କୀର୍ତ୍ତି-କୁସୁମେ କିଛି ନାହିଁ କି ସୌରଭ ?

ଯୁବରାଜ ହୋଇ ଯେବେ ବସିଥାନ୍ତି ଘରେ,

ପାରନ୍ତା କି ଘଟି ଏହା ମୋହର ଭାଗ୍ୟରେ !

ବିଲୋକିଲି ଲକ୍ଷ୍ମଣର ଦୃଢ଼ ଭ୍ରାତୃଧର୍ମ

ଅଟଳ ସାହସ ସହ ପ୍ରବଳ ବିକ୍ରମ

ସେପରି ତୁ ରଘୁବଂଶ ସୁଯୋଗ୍ୟ ନନ୍ଦନ,

ତୋତେ ଭ୍ରାତୃରୂପେ ପାଇ ଜୀବନ ମୋ ଧନ୍ୟ ।

ଏହି ଯେ ବିପଦ-ବନ୍ଧୁ କିସ୍କିନ୍ଧା-ଭୂଷଣ,

ଏହି ମୋର ଭାଗ୍ୟଲବ୍‍ଧ ମିତ୍ର ବିଭୀଷଣ

ଅସୁର-ଆହବାର୍ଣ୍ଣବେ ହୋଇ କର୍ଣ୍ଣଧାର,

ଆମ୍ଭ ଭାଇ ଦିଓଟିଙ୍କି କରିଛନ୍ତି ପାର ।

ସମ୍ବର୍ଦ୍ଧନା କର ବାବୁ ଏହାଙ୍କୁ ସାଦରେ,’’

ବୋଲି ତାଙ୍କୁ ଦେଖାଇଲେ ପ୍ରେମ-ଗଦ୍‍ଗଦରେ ।

ପ୍ରଗାଢ଼େ ଭରତ କରି ପ୍ରେମ ଆଲିଙ୍ଗନ,

ମଧୁର ଭାଷଣେ ମୁଗ୍‍ଧ କଲେ ତାଙ୍କ ମନ ।

ଅମାୟିକ ଭରତଙ୍କ ଦେଖି ବ୍ୟବହାର,

ଧନ୍ୟ ବୋଲି କଲେ ସର୍ବେ ପ୍ରଶଂସା ଅପାର ।

ପ୍ରଭାତ-ଅରୁଣ-କାନ୍ତି ଜାନକୀ ଚରଣେ,

ତା’ପରେ ପଡ଼ିଲା ବୀର ସଲଜ୍ଜ ବଦନେ ।

ଶୋକରୁଦ୍ଧ କଣ୍ଠେ କିଛି ନ ପାରିଲା କହି,

ଶୀର୍ଣ୍ଣପଦ ଚାହିଁ ହୃଦେ ମାତୃ ହେଲା ଦହି ।

ଭରତ ଜଟିଳ ଶିରେ ଶ୍ରୀମତୀ ପୟର,

ଶମ୍ଭୁଶିରେ ପଦ ପ୍ରାୟେ ହେଲା ମନୋହର ।

ଅଥବା ଶୈବାଳ-ବନେ ନବ ଇନ୍ଦିବର,

ବିକଶିତ ହେଲାପରି ଦିଶିଲା ସୁନ୍ଦର

ତହୁଁ ଯାଇ ଲକ୍ଷ୍ମଣଙ୍କୁ କଲେ ଆଲିଙ୍ଗନ,

ଦେଖିଲେ ବାଣଜ କ୍ଷତ ଅଙ୍ଗେ ଅଗଣନ ।

ଆଉଁସି ଆଉଁସି ହେଲେ ମରମେ ବ୍ୟଥିତ,

ଲୋତକ-ବାଷ୍ପରେ କରି ଶରୀର ପ୍ଳାବିତ ।

ବୋଇଲେ, ‘‘ଏ ରଘୁବଂଶେ ଜନ୍ମ ତୋର ସାର,

ଅକ୍ଷତ ଶରୀର ଦେଖ ମୁହିଁ କୁଳାଙ୍ଗାର

ସମସ୍ତଙ୍କୁ ଶତ୍ରୁଘନ ଯଥାବିଧି ମାନ୍ୟ

କରି, ଲାଭ କଲେ ସ୍ନେହ ସାଦର ସମ୍ମାନ ।

ଭରତ ଶତ୍ରୁଘ୍ନ କରେ ହୋଇ ଆଲିଙ୍ଗିତ,

ସର୍ବ ସେନାପତି ତହିଁ ହେଲେ ସମ୍ମାନିତ ।

ଶ୍ରୀରାମ ଜାନକୀ ସଙ୍ଗେ ସୁମିତ୍ରାନନ୍ଦନ,

ଯାଇ କଲେ ବଶିଷ୍ଠଙ୍କ ପୟରବନ୍ଦନ

ବନ୍ଦିଲେ କୌଶଲ୍ୟାପଦ, ସୁମିତ୍ରାଙ୍କ ପଦ,

ମଣିଲେ ରାଣୀଏ ତାହା ଦୁର୍ଲଭ ସମ୍ପଦ ।

ସାଗ୍ରହେ ସସ୍ନେହେ ହୋଇ ଅତି ତରତର

ଆଉଁସିଲେ ମାତାଦ୍ୱୟ ପୁତ୍ର କଳେବର

ଦେଖିଲେ ଶରୀର ହୋଇ ଶରରେ ଆହତ,

ସବୁଆଡ଼େ ରହିଅଛି ଦରଶୁଷ୍କ କ୍ଷତ

ବୋଇଲେ ହା ବିଧି ଏହି ରମ୍ୟ ଅପଘନେ,

ଏ କ୍ଷତ ଲାଞ୍ଛନା ହେବା ଥିବା ତୁମ୍ଭ ମନେ ।

ସକଳଙ୍କ ସୁଧାକର କୀଟଦ୍ରଷ୍ଟ ଫୁଲ,

ଦେଖିବାକୁ ମନ ତୁମ୍ଭ ସତତ ଆକୁଳ ।

ରାମ-ଶ୍ୟାମ ଘନୁ ପଡ଼ି ଆନନ୍ଦ-ଆସାର,

ଶୋକବନ୍ଧ ଭାଙ୍ଗି ତାଙ୍କ ବହିଗଲା ଧାର ।

ଆନନ୍ଦ-ସରିତ-ସ୍ରୋତେ ଯାଇ ହେଲା ଲୀନ,

ପରିପ୍ଳୁତ କରିଦେଲା ନୟନପୁଳିନ

ବୈଦେହୀଙ୍କି ଆଣି ପୁଣି ବସାଇଲେ ଅଙ୍କେ,

ଅମୂଲ୍ୟନିଧିକି ଯଥା ଧରିଥାନ୍ତି ରଙ୍କେ

ପୁଷ୍ପମାଳ ପରି ବଧୂ ଲାଗିଲେ ଉଶ୍ୱାସ,

ଜନକ-ଦୁହିତା ବୋଲି ନ ହେଲା ବିଶ୍ୱାସ,

ଦ୍ୱିତୀୟା ଶଶାଙ୍କ ପରି ଶୀର୍ଣ୍ଣ କଳେବର,

ଚାହିଁ ତାଙ୍କୁ,ଅଶ୍ରୁ ବହିଗଲା ଝରଝର

ଅନାଇଲେ ପୁନଃ ପୁନଃ ଆଉଁସି ଶ୍ରୀମୁଖ,

ବୋଇଲେ,‘‘ହା ବତ୍ସେ ! କେତେ ପାଇଗଲ ଦୁଃଖ ।

ପୁନଃ ପୁନଃ ମୁଖ ପୋଛି ଦୁକୂଳ ଅଞ୍ଚଳେ,

ଦେଖି ଦେଖି ଭାସୁଥାନ୍ତି ନୟନର ଜଳେ ।

ଅଯୋଧ୍ୟାବାସୀଏ ଏଣେ କେ ଦେଖଇ ରଥ,

କେବା ବିଭୀଷଣ ମୁଖ ଦର୍ଶନରେ ରତ

କେହି ଅବା ସୁଗ୍ରୀବଙ୍କୁ ଲୋଡ଼େ ହୋଇ ବ୍ୟସ୍ତ,

କେ ଅବା ପୁଷ୍ପକ ଛୁଇଁ ଶିରେ ଦିଏ ହସ୍ତ ।

ବୟୋଽଧିକେ ପ୍ରଶ୍ନ କରି କରି ଶିଶୁଗଣ,

ଚିହ୍ନିଲେ ବିପିନାଗତ ଶ୍ରୀରାମ ଲକ୍ଷ୍ମଣ

ବାଲ୍ୟକାଳୁଁ ରାମ ରୂପ ନଥିଲେ ତ ଦେଖି,

ହୃଦପଟେ ଭିନ୍ନ ଭିନ୍ନ ରୂପ ଥିଲେ ଲେଖି

ଦେଖିଲେ ସେ ରୂପ ଏବେ ଅତୁଳ ସୁନ୍ଦର,

ଏ ହୀରକ ପାଇ ଦୂର କଲେ ସେ ପଥର

ସୈନ୍ୟସବୁ ଆସିଥିଲେ ଶ୍ରୀରାମ ଗହଣେ,

ସ୍ୱଚ୍ଛନ୍ଦେ ଲାଗିଲେ ଏଣେତେଣେ ବିଚରଣେ

ଦୀର୍ଘନଖ ରୁକ୍ଷକେଶ ଶ୍ମଶ୍ରୁଳବଦନ,

ପରିହିତ କଉପୀନ କୌଷେୟ ବସନ

ଗୁଞ୍ଜମାଳ ସଙ୍ଗେ ତାଙ୍କ ରତ୍ନ ଅଳଙ୍କାର,

ଅଯୋଧ୍ୟାବାସୀଙ୍କ ନେତ୍ରେ ଦେଲା ଚମତ୍କାର ।

ଗୋଟିଏ ନ ଥିଲେ ଋକ୍ଷ ରାକ୍ଷସ ବାନର,

ବେଶ ମାତ୍ର ଭିନ୍ନ କିନ୍ତୁ ସର୍ବେ ଥିଲେ ନର ।

ଅଭିଷେକ ଆୟୋଜନ ଲାଗିଲା ସତ୍ୱର,

ଜଟା ତ୍ୟାଗକଲେ ରାମ ସୁମିତ୍ରାକୁମର

ନଖ କାଟି କ୍ଷୌର କଲା ନିପୁଣ ନାପିତ,

ପବିତ୍ର ସଲିଳେ ଦୁହେଁ ହେଲେ ସୁସ୍ନାପିତ

ମହାମୂଲ୍ୟ କ୍ଷୌମବାସ କଲେ ପରିଧାନ,

ଘେନିଲେ ଶ୍ରୀଅଙ୍ଗେ ଦିବ୍ୟ ଅଙ୍ଗରାଗମାନ

ରତ୍ନ ଆଭରଣେ ହେଲା ବିଗ୍ରହ ମଣ୍ଡିତ,

ଭରତ ଶତ୍ରୁଘ୍ନ ହେଲେ ସେରୂପ ସଜ୍ଜିତ

ଶ୍ରୀରାମଜାୟାଙ୍କୁ ଦାସୀ କରି ସୁମାର୍ଜିତ,

ଅଲକ୍ତକ ରାଗେ କଲା ଶ୍ରୀପଦ ରଞ୍ଜିତ

କରାଇଲା ପରିଧାନ ଅମୂଲ୍ୟ ବସନ,

ଅବୟବେ ମଣ୍ଡିଦେଲା ଉଜ୍ଜ୍ୱଳ ଭୂଷଣ

କପାଳରେ ଦେଲା ରମ୍ୟ ସିନ୍ଦୂରର ବିନ୍ଦୁ,

ଦିଶିଲା ତା ତାରାମୟ ନଭେ ଯଥା ଇନ୍ଦୁ ।

କବରୀ ସାଜିଲା ଦେଇ ମଞ୍ଜୁ ପୁଷ୍ପପୁଞ୍ଜ,

ଦିଶିଲା ଶ୍ରୀଅଙ୍ଗ ଯଧା ଶୋଭାର ନିକୁଞ୍ଜ

ଅଭିଷେକ ପାଇଁ ହେଲା କନକ-ମଣ୍ଡପ,

ମଣ୍ଡପେ ମଣ୍ଡିତ ହେଲା ଚାରୁ ଚନ୍ଦ୍ରାତପ

ଚନ୍ଦ୍ରାତପେ ନାନା ବର୍ଣ୍ଣ ପୁଷ୍ପ ମାଳ ମାଳ,

ଗୁଚ୍ଛ ଗୁଚ୍ଛ ଲମ୍ବି, ଲମ୍ବ କଲେ ଶୋଭା-ଜାଳ ।

କୁସୁମ ସୁବାସେ ବାସମୟ ହେଲା ସ୍ଥଳ,

ଦିଗବ୍ୟାପୀ ନଭବ୍ୟାପୀ ହେଲା ପରିମଳ ।

ରତ୍ନପୀଠେ ରାମଚନ୍ଦ୍ର ହେଲେ ବିରାଜିତ,

ବାମଭାଗେ ହେଲେ ତାଙ୍କ ବୈଦେହୀ ରାଜିତ ।

ବଶିଷ୍ଠ ଉଠିଲେ କରେ ଧରି ତୀର୍ଥଜଳ,

ଢାଳିଲେ ଶ୍ରୀରାମ ଶିରେ ଉଚ୍ଚାରି ମଙ୍ଗଳ ।

ବାମଦେବ ଗଉତମ ସଙ୍ଗେ କାତ୍ୟାୟନ,

ଜାବାଳି, କାଶ୍ୟପ ଆଦି ମହାଋଷିଗଣ ।

ଅଭିଷିକ୍ତ କଲେ ରାମେ ଦେଇ ବାସବାରି,

ସୁଗମ୍ଭୀର ବେଦମନ୍ତ୍ରେ ମଙ୍ଗଳ ଉଚ୍ଚାରି ।

ପରେ ଅଭିଷେକ କଲେ ଋତ୍ୱିକ ବ୍ରାହ୍ମଣ,

ଅମାତ୍ୟ ବଣିକ ଆଦି ପୌରଜନଗଣ ।

ଚରଣଚୁମ୍ବିତ ବେଣୀ କୁସୁମଭୂଷଣା,

ସ୍ୱର୍ଣ୍ଣଜରି-କୁସୁମିତ-ସୁରଙ୍ଗ-ବସନା ।

ସୁକୁମାରୀ-କୁମାରୀଏ ଧରି ସ୍ୱଚ୍ଛ ନୀର,

ସଲଜ୍ଜ ବଦନେ ସିକ୍ତ କଲେ ରାମ-ଶିର ।

ବଶିଷ୍ଠ ଶ୍ରୀରାମ-ଭାଲେ ସିନ୍ଦୂର ଚନ୍ଦନ

ଦେଇ, କଲେ ମୁକୁଟରେ ମସ୍ତକ ମଣ୍ଡନ ।

ଶତ୍ରୁଘ୍ନ ଧଇଲେ ଛତ୍ର ସୁଗ୍ରୀବ ଚାମର,

ଚାମର ଢାଳିଲେ ପୁଣି ବିଶ୍ରବାକୁମର ।

ବେନି ପାର୍ଶ୍ୱେ ଉଭା ହେଲେ ଭରତ ଲକ୍ଷ୍ମଣ,

ବିଘ୍ନନାଶ ପାଇଁ ଧରି ଶର-ଶରାସନ ।

ସମକ୍ଷେ କନକ କୁମ୍ଭ ହୋଇ ସଂସ୍ଥାପିତ,

ସୁବର୍ଣ୍ଣପ୍ରଦୀପ ତେଜେ ହେଲା ପ୍ରଦୀପିତ ।

ଅଗ୍ରେ ଉଭା ନତଜାନୁ ପବନନନ୍ଦନ,

ଯୁଗ୍ମକରେ କଲା ରାମ-ଚରଣବନ୍ଦନ ।

ବାଜିଲା ଅସଂଖ୍ୟ ଶଙ୍ଖ ସୁଦୀର୍ଘ ନିସ୍ୱନେ,

ଘଣ୍ଟ ଗରଜିଲା ମୁହୁର୍ମୁହୁଃ ବିତାଡ଼ନେ ।

ବାଜିଲା ବିବିଧ ସ୍ୱରେ ଭେରୀ ବଂଶୀ ବୀଣା,

ଗାଇଲେ ସଙ୍ଗୀତ ବହୁ ସଙ୍ଗୀତପ୍ରବୀଣା ।

ନିନାଦିଲା ମନ୍ଦ୍ରନାଦୀ ମୃଦଙ୍ଗ ମର୍ଦଳ,

ସ୍ଥାନେ ସ୍ଥାନେ ନୃତ୍ୟ କଲେ ନଟ ଦଳ ଦଳ ।

ନାଚିଲେ ଦିକ୍‍ପାଳଗଣ କରି ମନ୍ଦ୍ର ନାଦ,

ଗିରିଦରୀ ନୃତ୍ୟ କଲା ପାଇ ସେ ସମ୍ବାଦ ।

ଉଲ୍ଲାସେ ନାଚିଲା ମହୀ ମଣ୍ଡି ସମୀରଣ,

କାନନରେ ନୃତ୍ୟ କଳେ ତରୁଲତାଗଣ ।

ଅରବିନ୍ଦବୃନ୍ଦ ନୃତ୍ୟ-ସରେ ଆନନ୍ଦରେ,

ଆନନ୍ଦ ନାଚିଲା ଜନ ହୃଦୟ-କନ୍ଦରେ ।

ପାତାଳରେ ନୃତ୍ୟ ସ୍ୱର-ବିମୁଗ୍‍ଧ ନାଗର,

ଊର୍ମି ତୋଳି ନୃତ୍ୟ କଲା ମହୋର୍ମି ସାଗର ।

ନାଚିଲା କଲ୍ଲୋଳ ବ୍ୟାଜେ ସରଯୂଜୀବନ,

ଗାଇଲା ସଙ୍ଗୀତ କରି କଳକଳ ସ୍ୱନ ।

ବନ୍ଦିଗଣ ମହୋଲ୍ଲାସେ କରି ଉଚ୍ଚ ରବ,

ଗାଇଲେ ଶ୍ରୀରାମ-କୀର୍ତ୍ତି ମହିମା ଗୌରବ ।

ଜୟ ଦେବ ମନୁବଂଶ ଅବତଂସ-ମଣି,

ଜୟ ଜୟ ରଘୁକୁଳ-କମଳ-ତରଣି(୪)

ବୀରଦର୍ପହର ହରଧନୁ-ବିଭଞ୍ଜନ,

ତାଡ଼କା-ତାଡ଼ିତ-ମୁନି-ମାନସ-ରଞ୍ଜନ ।

ଦୁର୍ଦ୍ଦମ-ଦାନବଦଳ-ଶଲଭ-ଅନଳ,

ସହୃଦୟ ସୁହୃଦ୍‍ବର ଧାର୍ମିକର ବଳ ।

ତ୍ରିଦଶ(୫) ଦ୍ୱିଷତ୍(୬) ଦଶ-ବଦନ-ମର୍ଦ୍ଦନ,

ଶୂର(୭) ସୁର(୮) ସୁରପତି ଆନନ୍ଦବର୍ଦ୍ଧନ ।

ଜୟ ଲୋକ-ଅଭିରାମ ନୟନାଭିରାମ,

ମଙ୍ଗଳ କୁସୁମମୟ ସୁରମ୍ୟ ଆରାମ ।

ବନ୍ଦୀବାକ୍ୟେ ଗାଇ ତବ ସ୍ତବନ ଭାରତୀ,

ଏହି କାଳେ ଦେଉଅଛୁଁ ମଙ୍ଗଳ ଆରତି ।

ବାଜୁ ଶଙ୍ଖ ବାଜୁ ଘଣ୍ଟା ମଙ୍ଗଳ ମହୁରି,

ଜୟ ରାମ ଜୟ ରାମ ପଡ଼ିଯାଉ ହୁରି ।

ଦୀପ୍ତ ହେଉ ସମୁକୁଟ ବଦନମଣ୍ଡଳ,

ପ୍ରଫୁଲ୍ଲିତ ହେଉ ସୀତା ବଦନ-କମଳ ।

ଦିଅ ଏବେ ବ୍ରାହ୍ମଣଙ୍କୁ ଲକ୍ଷ ଲକ୍ଷ ଗାଈ,

ଦୁଗ୍‍ଧ ପିଇ ବୁଲୁଥିବେ ତୁମ୍ଭ ଗୁଣ ଗାଇ ।

ତ୍ରିଂଶ କୋଟି ସ୍ୱର୍ଣ୍ଣମୁଦ୍ରା ନିଅନ୍ତୁ ତାପରେ,

ସୁକର୍ମନିରତ ଥିବେ ଉତ୍ତମ ରୂପରେ ।

ସୁଗ୍ରୀବଙ୍କୁ ଦିଅ ମଣିମୟ ସ୍ୱର୍ଣ୍ଣହାର,

ବୈଦୂର୍ଯ୍ୟ କେୟୂର ପାଉ ବାଳିର କୁମାର ।

ଚନ୍ଦ୍ରପ୍ରଭ ମୁକ୍ତାହାର ଦିଅ ପ୍ରିୟା କରେ,

ପ୍ରସନ୍ନେ ଦିଅନ୍ତୁ ସେ ତା ପବନକୁମରେ ।

ପାଶେ ଛନ୍ତି ଆଉ ଯେତେ ସେନାପତିଗଣ,

ଦିଅ ତାଙ୍କୁ ପଟ୍ଟବସ୍ତ୍ର କନକ-ଭୂଷଣ ।

ଉତ୍କଳୀୟେ ବସିଅଛୁଁ ଯୋଡ଼ି ବେନିକର,

ଆମ୍ଭ ପ୍ରତି ଯଥାଯୋଗ୍ୟ ଅନୁଗ୍ରହ କର ।

 

୧. ସାକେତ-ଅଯୋଧ୍ୟା । ୨. ତୂର୍ଣ୍ଣ-ଶୀଘ୍ର । ୩. ବାସବୀ-ପୂର୍ବଦିଗ, ଇନ୍ଦ୍ରଣୀ । ୪. ତରଣି-ସୂର୍ଯ୍ୟ । ୫. ତ୍ରିଦଶ-ଦେବତା । ୬. ଦ୍ୱିଷତ୍‍-ଶତ୍ରୁ । ୭. ଶୂର-ବୀର । ୮. ସୁର-ଦେବତା ।

Image